Pratidin TV

Odisha's Digital News Platform

ଗରିବ ବାପା ମାଆ ର ପାଠୁଆ ପୁଅ , ଜରିପାଲ ତଳୁ ହେଲା ଆଇଏସ୍ ଅଫିସର ..

1 min read

ଗରିବି , ଅଭାବ ଓ ଅନଟନ ଭିତରେ ବି ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସେ ପାଇଛନ୍ତି ଏହି ସଫଳତା । ଆଉ ହୋଇଛନ୍ତି ଆଇଏସ ଅଫିସର । ଜରି ପାଲ ତଳେ ମିଞ୍ଜି ମିଞ୍ଜି ଆଲୁଅ ଆଉ ତା ଭିତରେ ରୀତିମତ ସଂଘର୍ଷ । ଆଉ ସେହି ସଂଘର୍ଷ ଭିତରେ ସେ ପାଇଛନ୍ତି ସଫଳତା । ଆଜି ଅଭାବୀ ଘରର ପୁଅ ପାଲଟିଛନ୍ତି ପ୍ରଶାସନିକ ଅଧିକାରୀ । ବାପା ଜଣେ ଦିନମଜୁରିଆ । ମା’ ଜଣେ ଗୃହିଣୀ । ବାପା ଜଣେ ଦିନମଜୁରିଆ ଆଉ ସେଥିରେ କୁଟୁମ୍ବ ପାଳିବା କେତେ କଷ୍ଟ ତାହା ଆପଣ ଅନୁମାନ କରୁଥିବେ । ବାପା ମଜୁରୀ କରି ଯାହା ରୋଜଗାର କରନ୍ତି ତାହା ପରିବାର ପୋଷଣ ପାଇଁ ସମୁଦ୍ରକୁ ଶଂଖେ ପରି ମନେ ହଉଥିବାବେଳେ ଗରୀବ ବାପା , ମା’ଙ୍କ ଆଖିରେ କିନ୍ତୁ ପୁଅର ଭବିଷ୍ୟତ ଥିଲା ସବୁକିଛି । ନିଜେ ପେଟ କାଟି ପୁଅକୁ ମଣିଷ କରିବାକୁ ପଣ କରିଥିଲେ ବାପା, ଆଉ ସେଥିରେ ସାହାଯ୍ୟ କରିଥିଲେ। ଭାଇ ର ଭବିଷ୍ୟତ ପାଇଁ ସେ ବାପାଙ୍କ ସଂଗେ ଦିନ ମଜୁରୀ କରିଥିଲା ।

ଏ ହେଉଛନ୍ତି ଉତ୍ତର ପ୍ରଦେଶ ବୁଲନ୍ଦସହର ଜିଲ୍ଲାର ରଘୁନାଥପୁର ଗାଁର ବାସିନ୍ଦା ପଓ୍ଵନ କୁମାର । କୁଡ଼ିଆ ଘରେ ପାଠ ପଢ଼ିବା ପାଇଁ ପଓ୍ଵନଙ୍କ ପାଖରେ ଇଲେକ୍ଟ୍ରିର ସୁବିଧା ନଥିଲା । ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ରୋଷେଇ କରିବା ପାଇଁ ଗ୍ୟାସ ସିଲିଣ୍ଡର ତ ଥିଲା କିନ୍ତୁ ଗ୍ୟାସ ଭରିବା ପାଇଁ ପାଖରେ ଟଙ୍କା ନଥିଲା । ପଓ୍ଵନଙ୍କ ମା’ ଓ ଭଉଣୀ ଜଙ୍ଗଲରୁ ଜାଳେଣୀ ଆଣିଲେ ଘରେ ଚୁଲ୍ଳୀ ଜଳୁଥିଲା । ପଓ୍ଵନଙ୍କ ମା’ ସୁମନଙ୍କ କହିବା ଅନୁସାରେ ଅଭାବ ମଧ୍ୟରେ ପଓ୍ଵନଙ୍କୁ ପାଠ ପଢ଼ାଇବା ବହୁତ କଷ୍ଟ ଥିଲା କିନ୍ତୁ ଶେଷରେ ସବୁ ବାଧା ବିଘ୍ନକୁ ପାର କରି ସେ ଆଜି ସଫଳତା ପାଇଛି । ତୃତୀୟ ଥର ପାଇଁ ଚେଷ୍ଟା କରିବା ପରେ ପଓ୍ଵନ UPSCରେ ସିଲେକ୍ଟ କରିଛନ୍ତି । ସେ ୨୩୯ ର‍୍ୟାଙ୍କ ହାସଲ କରିଛନ୍ତି । ତେବେ ପଓ୍ଵନଙ୍କ ବାପା ଓ ଭଉଣୀ ମଜୁରୀ କରିବା ପରେ ହିଁ ପଓ୍ଵନ କୋଚିଂ ଏବଂ ବହି କିଣି ପାରିଥିଲେ । ତାଙ୍କ ପାଖରେ ଫୋନ କିଣିବା ପାଇଁ ବି ଟଙ୍କା ନଥିଲା । କିନ୍ତୁ ବାପା ଓ ଭଉଣୀଙ୍କ ସାହାଯ୍ୟରେ ୩୨୦୦ ଟଙ୍କାରେ ସେ ଏକ ସେକେଣ୍ଡ ହ୍ୟାଣ୍ଡ ଫୋନ କଣିଥିଲେ । ଯାହା ଦ୍ୱାରା ସେ ପାଠ ପଢ଼ିବାରେ ଅନେକ ସାହାଯ୍ୟ ପାଇଥିଲେ ।

ତାଙ୍କ ବାପା ମୁକେଶ କୁମାର ଓ ମା’ ସୁମନ ପୁଅର ସଫଳତାରେ ବେଶ ଖୁସି ଅଛନ୍ତି । ପଓ୍ଵନଙ୍କ ଏପରି ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । UPSCରେ ସିଲେକ୍ଟ ହୋଇଥିବା ପୱନ କୁମାର ମଧ୍ୟ ଏପରି ଜଣେ ଯୁବକ, ଯିଏ ଝାଟି ମାଟିର କୁଡ଼ିଆ ଘରେ ପାଠ ପଢ଼ି ଆଜି ଏ ସଫଳତା ପାଇଛନ୍ତି । ନିଜ ଭବିଷ୍ୟତକୁ ଦୃଢ଼ କରିବା ପାଇଁ ପୱନ କୁମାର କଠିନ ପରିଶ୍ରମ କରିଥିଲେ ଏବଂ ଶେଷରେ ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । UPSCରେ ସିଲେକ୍ଟ ହେବା ପରେ ସେ ତାଙ୍କ ଝାଟି ମାଟିର କୁଡ଼ିଆ ଘରେ ବାପା ମା’ଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ତାଙ୍କର ଏହି ସଫଳତାରେ ସମସ୍ତେ ଖୁସିରେ ଝୁମିଥିଲେ । ଏତେ ବର୍ଷ ପରେ ତାଙ୍କର ପରିଶ୍ରମକୁ ଭଗବାନ୍ ସାର୍ଥକ କରିଛନ୍ତି ବୋଲି କହିଥିଲେ ପଓ୍ଵନଙ୍କ ମା’ ସୁମନ ।

Leave a Reply

Your email address will not be published. Required fields are marked *