ବାଳ ପାଇଁ ‘ବସ’ର ୩ କର୍ମଚାରୀଙ୍କୁ ଅପହରଣ …..
1 min readବାଲେଶ୍ଵର ; ବାଲେଶ୍ୱରରେ ଚାଞ୍ଚଲ୍ୟକର ଘଟଣା । ବାଳ ପାଇଁ କିଡନାପ୍ ହେଲେ ବସ୍ ଡ୍ରାଇଭର , କଣ୍ଡକ୍ଟର ଏବଂ ହେଲପର। ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସାହାବାଜିପୁର ଗ୍ରାମପଞ୍ଚାୟତର ଦୀଘା ବୋର୍ଡ଼ର ବସଷ୍ଟାଣ୍ଡରୁ ଡ୍ରାଇଭର,ହେଲ୍ପର ଓ କଣ୍ଡକ୍ଟରଙ୍କୁ ପଶ୍ଚିମବଙ୍ଗ ରାଜ୍ୟର କେତେକ ଅପହରଣକାରୀ ଅପହରଣ କରି ରଖିବା ଓ ସେମାନଙ୍କ ପରିବାରକୁ ଅଢେ଼ଇ ଲକ୍ଷ ଟଙ୍କା ଦାବି କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ,ଗତ ରବିବାର ବାଲେଶ୍ଵରରୁ ଉଦୟପୁର ଆସୁଥିବା ଓଡି-୦୧- କ୍ୟୁ-୫୭୫୫ ନୂରାନୀ ଭରଷା ଘରୋଇ ବସଟି ବାଲେଶ୍ଵରରୁ ଉଦୟପୁର ଆସୁଥିବା ବେଳେ ବାଲେଶ୍ଵରରୁ ଜୈନିକ ବ୍ୟକ୍ତି ଏକ ବାଳ ଭର୍ତ୍ତି ବସ୍ତା ଗାଡ଼ିର କଣ୍ଡକ୍ଟରଙ୍କ ଜିମାରେ ଦେଇଥିଲେ ଏବଂ ଉକ୍ତ ବ୍ୟକ୍ତି ଜଣଙ୍କ ଜଳେଶ୍ୱର ବସଷ୍ଟାଣ୍ଡରୁ କଣ୍ଡକ୍ଟରକୁ ତାଙ୍କର ବସ୍ତାଟିକୁ ମାଗିଥିଲେ।ମାତ୍ର କଣ୍ଡକ୍ଟର ବସ୍ତାଟିକୁ ନ ପାଇବାରୁ ଜଳେଶ୍ୱର ବସଷ୍ଟାଣ୍ଡରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ରାତ୍ରି ପ୍ରାୟ ୮ଟା ୩୦ ମିନିଟରେ ଦୀଘା ବୋର୍ଡ଼ର ବସଷ୍ଟାଣ୍ଡରେ ବସଟି ପହଞ୍ଚିଥିଲା।ଉକ୍ତ ଘଟଣାକୁ କେନ୍ଦ୍ର କରି ପଶ୍ଚିମବଙ୍ଗର କେତେକ ଯୁବକ ବସର ଡ୍ରାଇଭର ବସ୍ତା ଥାନା ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ପରିଡ଼ାଙ୍କ ପୁଅ ପ୍ରଭାକର ପରିଡ଼ା(୫୦),ହେଲ୍ପର ବସ୍ତାଥାନା ଅନ୍ତର୍ଗତ ନଳ ବାହାର ଗାଁର ସାଧୁ ଚରଣ ତାଣ୍ଡିଙ୍କ ପୁଅ ମନୋରଞ୍ଜନ ତାଣ୍ଡି ଓ କଣ୍ଡକ୍ଟର ବାଲିଆପାଳ ଥାନା ଅଧିନ ବାଲିକୁଟୀ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ(୩୯)ଙ୍କୁ ଅପହରଣ କରି ନେଇ ଦୀଘା ଥାନା ଅଞ୍ଚଳର ରତନପୁର ଗାଁରେ ଅଟକ ରଖିଥିଲେ ।
ଏହା ସହ ସେମାନଙ୍କୁ ଧମକ ଚମକ ଦେଇ ଫୋନ ଯୋଗେ ସେମାନଙ୍କ ପରିବାରକୁ ଅଢେ଼ଇ ଲକ୍ଷ ଟଙ୍କା ଦାବି କରିଥିଲେ।ଫଳରେ କଣ୍ଡକ୍ଟର ଜଗଦୀଶ ପ୍ରଧାନଙ୍କ ସ୍ତ୍ରୀ ସଂଯୁକ୍ତା ୬୦ ହଜାର ଟଙ୍କା ମୋବାଇଲ “ଫୋନ ପେ” ରେ ଅପହରଣକାରୀଙ୍କୁ ପଠାଇଥିଲେ।ଏହାପରେ ଅପହରଣକାରୀ ମାନେ ୩ ଜଣ କର୍ମଚାରୀଙ୍କୁ ନେଇ ପୂର୍ବ ମେଦିନି ପୁରର ପଟାସପୁର ଥାନା ଅଞ୍ଚଳର ସତସତ ମାଲ ଗାଁରେ ଲୁଚାଇ ରଖି ଏମାନଙ୍କୁ ମାଡ଼ ମାରି ତାଙ୍କ ପରିବାର ଠାରୁ ଅଧିକ ଟଙ୍କା ଦାବି କରିଥିଲେ।ଏବିଷୟରେ ବସର ମାଲିକ ବାଲେଶ୍ଵର ଅରଡ଼ ବଜାର ଅଞ୍ଚଳର ସେଖ ସାମସୂଦ ଜାମା ତାଳସାରି ସାମୁଦ୍ରିକ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପଟାସପୁର ଥାନା ସହାୟତାରେ ଚଢ଼ାଉ କରି ଅପହୃତ ଡ୍ରାଇଭର,କଣ୍ଡକ୍ଟର ଓ ହେଲ୍ପରଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀ ମାନେ ଫେରାର ଥିବା ଥାନା ଅଧିକାରିଣୀ ଶ୍ରୀମତୀ ସୋରେନ ସୂଚନା ଦେଇଛନ୍ତି।ଏନେଇ ତାଳସାରି ସାମୁଦ୍ରିକ ଥାନାରେ ୭୨/୨୩ରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।