Pratidin TV

Odisha's Digital News Platform

ସିବିଆଇ କରିବ ନାର୍କୋ ଟେଷ୍ଟ , ସତ ଓଗାଳିବ ଅଭିଯୁକ୍ତ ସଞ୍ଜୟ ..

1 min read

କୋଲକାତା ମେଡିକାଲ କଲେଜରେ ଘଟିଥିବା ସେହି ବିଭତ୍ସ ଘଟଣାର ଖୋଲିବ ସବୁ ଗୁମର । ସବୁ ସତ ଓଗାଳିବ ଅଭିଯୁକ୍ତ ସଞ୍ଜୟ ରୟ  । କାରଣ ଅଭିଯୁକ୍ତ ସଞ୍ଜୟ ରୟର  ହୋଇପାରେ ନାର୍କୋ ଟେଷ୍ଟ।ଏନେଇ ସିବିଆଇ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ଆଣିବ। ତେବେ ଏହା ପୂର୍ବରୁ ସଞ୍ଜୟର  ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଏବେ ନାର୍କୋ ଟେଷ୍ଟ ଦ୍ୱାରା ସିବିଆଇ, ସଞ୍ଜୟଙ୍କ ଠାରୁ ସତ ଓଗାଳିବ। ତେବେ ଆପଣ ଜାଣିଛନ୍ତି କି  ନାର୍କୋ ଟେଷ୍ଟ କ’ଣ ? ପଲିଗ୍ରାଫି ଟେଷ୍ଟରୁ ଏହା କେତେ ଅଲଗା? ତେବେ ଆସନ୍ତୁ ଜାଣିବା ।

ନାର୍କୋ ଟେଷ୍ଟ ଅପରାଧୀ ବା ଆରୋପୀ ବ୍ୟକ୍ତି ମୁହଁରୁ ସତ ବାହାର କରିବା ପାଇଁ ହୋଇଥାଏ। ଫରେନସିକ ଏକ୍ସପର୍ଟ, ତଦନ୍ତ ଅଧିକାରୀ, ମନୋବିଜ୍ଞାନୀ, ଡାକ୍ତରଙ୍କ ଉପସ୍ଥିତିରେ ଏହି ପରୀକ୍ଷା ହୋଇଥାଏ। ଏହି ଟେଷ୍ଟ ପାଇଁ ବ୍ୟକ୍ତିଙ୍କୁ କିଛି ଔଷଧ ଦିଆଯାଇଥାଏ। ଏହାକୁ ଟ୍ରୁଥ୍‌ ଡ୍ରଗ୍‌ ବା ସାଇକୋ ଆକ୍ଟିଭ୍ ଔଷଧ ମଧ୍ୟ କୁହାଯାଏ। ଏହାକୁ ଖାଇବା ଫଳରେ ବ୍ୟକ୍ତି ଜଣକ ଭାବି ଚିନ୍ତି ଉତ୍ତର ଦେବାର କ୍ଷମତା ହରାଇଥାଏ। ସେହି ସମୟରେ ଯାହା ପଚରା ଯାଏ ସେ ସତ କହିଥାନ୍ତି। ଏହି ଟେଷ୍ଟ ଫୋରେନସିକ ସାଇନ୍ସ ଲାବୋରେଟୋରୀ FSL ଦ୍ୱାରା ପରିଚାଳିତ ।ପ୍ରଥମେ ବ୍ୟକ୍ତି ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ। ବ୍ୟକ୍ତି ଜଣକ ଶାରୀରିକ, ମାନସିକ ଭାବେ ସୁସ୍ଥ ଥିଲେ ଏହି ପରୀକ୍ଷା ହୁଏ। ତା’ ପରେ ବ୍ୟକ୍ତିଙ୍କୁ ସାଇକୋ ଆକ୍ଟିଭ୍ ଔଷଧ ଦିଆଯାଏ। ଏହି ଔଷଧର ପ୍ରଭାବ ଅଳ୍ପ କିଛି ସମୟ ପାଇଁ ରହୁଥିବାରୁ ସେହି ସମୟ ମଧ୍ୟରେ ପୋଲିସ କଥା ଆଦାୟ କରିଥାଏ।

Advertisement

ସତ ଆଦାୟ କରିବା ସହିତ ଏହି ପରୀକ୍ଷାରେ ବ୍ୟକ୍ତିର ଶାରୀରିକ ପ୍ରତିକ୍ରିୟାକୁ ମଧ୍ୟ ଦେଖାଯାଏ। କିଛି କ୍ଷେତ୍ରରେ ବ୍ୟକ୍ତିଙ୍କୁ ମାମଲା ସହ ଜଡ଼ିତ କିଛି ଭିଡିଓ ମଧ୍ୟ ଦେଖାଯାଇଥାଏ। ଭିଡିଓ ଦେଖିବା ପରେ ବ୍ୟକ୍ତିଙ୍କର ପ୍ରତିକ୍ରିୟାରୁ ଜଣା ପଡ଼େ ସେ ମାମଲା ସହ ଜଡ଼ିତ ଅଛନ୍ତି ନା ନାହିଁ। ଏହି ଦୁଇଟି ଟେଷ୍ଟ ପରେ ଅଭିଯୁକ୍ତଙ୍କ ଦ୍ୱାରା କୁହାଯାଇଥିବା ସତର ଗ୍ୟାରେଣ୍ଟି କ’ଣ? ଏବଂ ଏହି ପରୀକ୍ଷଣରୁ କେତେ ପ୍ରତିଶତ ସତ ବାହାରିଥାଏ? ଏହି ଟେଷ୍ଟ ମାଧ୍ୟମରେ ସତ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। କାରଣ ଅନେକ ଥର ନାର୍କୋ-ପଲିଗ୍ରାଫି ଟେଷ୍ଟ ସମୟରେ ଜଣେ ବ୍ୟକ୍ତି ନିଜର ଭାବନାକୁ ନିୟନ୍ତ୍ରଣ କରିବାରେ ସଫଳ ହୁଏ। ବେଳେବେଳେ ନାର୍କୋ ଟେଷ୍ଟ ସମୟରେ ଦିଆଯାଇଥିବା ଔଷଧ ତାଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରେନାହିଁ। ଯେପରି ଜଣେ ବ୍ୟକ୍ତି ମଦ୍ୟପାନ କଲାବେଳେ ମଧ୍ୟ ଅନେକ ଥର ସଚେତନରେ ରୁହନ୍ତି। ଏଭଳି ପରିସ୍ଥିତିରେ, ନାର୍କୋ ଟେଷ୍ଟ ବିଫଳ ହୋଇଯାଏ। ତେବେ ଏହି ନାର୍କୋ ଟେଷ୍ଟ କେତେକାଂଶରେ ବିପଦ ହୋଇଥାଏ। ଏହି ଟେଷ୍ଟ ସିବିଆଇ ପାଇଁ ବହୁ ଚ୍ୟାଲେଞ୍ଜପୂର୍ଣ୍ଣ ମଧ୍ୟ ହୋଇପାରେ। ଯେହେତୁ ସଞ୍ଜୟ ଜଣେ ନିଶାସକ୍ତ ବ୍ୟକ୍ତି ଏବଂ ସେ ଅତ୍ୟଧିକ ମଦ୍ୟପାନ କରନ୍ତି ତେବେ ତାଙ୍କୁ କେତେ ଅଧିକ ଡୋଜ୍‌ ଦିଆଯିବ ସେ ନେଇ ସିବିଆଇ ଏହି ମାମଲାରେ କିଛି ରିସ୍କ ନେଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *