Pratidin TV

Odisha's Digital News Platform

୨୨ଟି ମୋବାଇଲ ଆପ୍ଲିକେସନ ବ୍ୟାନ କଲେ ଭାରତ ଆଇଟି ମନ୍ତ୍ରାଳୟ..

ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନେଇଛି ବଡ ଆକ୍ସନ । ବହୁଚର୍ଚ୍ଚିତ ମହାଦେବ ବୁକ ବେଟିଂ ଆପ୍‌କୁ ବ୍ୟାନ କରାଯାଇଛି । ତେବେ କେବଳ ମହାଦେବ ଆପ ନୁହେଁ ତା ସହିତ ଆଉ ୨୨ଟି ଆପ୍ଲିକେସନ ଓ ୱେବସାଇଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।

ଇଡିର ଅନୁରୋଧ ପରେ ମହାଦେବ ବୁକ୍ ଅନଲାଇନ ସମେତ ୨୨ ଟି “ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍‌” ବିରୋଧରେ ବ୍ଲକ ଅର୍ଡର ଜାରି କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି, “ଏକ ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ଇଡି ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଏବଂ ପରବର୍ତ୍ତୀ ସମୟରେ ଛତିଶଗଡର ମହାଦେବ ବୁକ୍ ଉପରେ ହୋଇଥିବା ଆକ୍ରମଣ ପରେ ଏହି ଆପର ବେଆଇନ କାର୍ଯ୍ୟକଳାପ ପ୍ରକାଶ ପାଇଛି । ଏହି ଅଭିଯୋଗ ପାଇଁ ଛତିଶଗଡ ପୋଲିସର ଜଣେ କନଷ୍ଟେବଳ ଭୀମ ସିଂ ଯାଦବ ଏବଂ ଜଣେ ଅସୀମ ଦାସ ବର୍ତ୍ତମାନ ପୋଲିସ ଗିରଫରେ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଛତିଶଗଡ଼ର ବିଭିନ୍ନ ଠିକଣାରେ ଚଢଉ କରାଯାଇଥିଲା । ପୂର୍ବରୁ ଏହି ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି । ଏହି ମହାଦେବ ବେଟିଂ ଆପ୍ ସଂପର୍କିତ ମାମଲାରେ ହରଡ଼ଘଣାରେ ପଡ଼ିଛି ଛତିଶଗଡ଼ର ଭୂପେଶ ବଘେଲ ସରକାର । ଦଳର ପ୍ରଚାର ପାଇଁ ବେଟିଂ ଆପ୍ ଅପରେଟରଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କାର ବେଆଇନ ଫଣ୍ଡିଂ ମିଳିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହାକୁ ଖଣ୍ଡନ କରିଥିଲେ ବଘେଲ । କିନ୍ତୁ କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି, ଆଇଟି ଧାରା ୬୯(ଏ) ଅନୁଯାୟୀ, ୱେବସାଇଟ ଓ ଆପକୁ ନିଷିଦ୍ଧ କରିବା ପାଇଁ ଅନୁରୋଧ କରିବା, ରାଜ୍ୟ ସରକାରଙ୍କ ପାଖରେ ରହିଛି ।

Leave a Reply

Your email address will not be published. Required fields are marked *