Pratidin TV

Odisha's Digital News Platform

ନିର୍ବାଚନ ଜିତିବା ପରେ ବଢ଼ିଲା କମ୍ପାନୀ ସେୟାର ପରିବାର ହେଲା ମାଲାମାଲ

1 min read

ଆସନ୍ତା ୧୨ ତାରିଖରେ ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରରେ ଚନ୍ଦ୍ର ବାବୁଙ୍କ ତେଲଗୁଦେଶମ ପାର୍ଟି (TDP) ପୁଣି ଥରେ କ୍ଷମତାକୁ ଫେରିବ । ଚଳିତ ନିର୍ବାଚନରେ TDP ସ୍ପଷ୍ଟ ବହୁମତ ହାସଲ କରିବା ପରେ ଚନ୍ଦ୍ର ବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟ ପରିଷ୍କାର ହୋଇ ଯାଇଛି। ଆସନ୍ତା ୧୨ ତାରିଖରେ କେସରପଲ୍ଲୀ ଆଇଟି ପାର୍କରେ ସେ ପଦ ଓ ଗୋନୀୟତାର ଶପଥ ନେବେ। ଏନେଇ TDP ପକ୍ଷରୁ ସୂଚନା ଦିଆଯାଇଛି।

ଆନ୍ଧ୍ରପ୍ରଦେଶରେ ତାଙ୍କ ଦଳ ବହୁ ସଂଖ୍ୟାରେ କ୍ଷମତାକୁ ଆସିଥିବାବେଳେ ବର୍ତ୍ତମାନ କେନ୍ଦ୍ରରେ ମଧ୍ୟ ତାଙ୍କ ସମର୍ଥନରେ NDA ସରକାର ଗଠନ ହେବାକୁ ଯାଉଛି। ନିର୍ବାଚନ ଫଳାଫଳରୁ ସେ କେବଳ ରାଜନୈତିକ ଭାବେ ଉପକୃତ ହୋଇନାହାଁନ୍ତି, ବରଂ ତାଙ୍କ ପରିବାର ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ବହୁତ ଲାଭବାନ ହୋଇଛନ୍ତି | ନିର୍ବାଚନ ଫଳାଫଳ ଦିନଠାରୁ ଚନ୍ଦ୍ରବାବୁ ନାଇଡୁ ପରିବାର କମ୍ପାନୀ ହେରିଟେଜ୍ ଫୁଡ୍ସର ସେୟାରଗୁଡିକ ବୃଦ୍ଧି ହେବାରେ ଲାଗିଛି। ଏହି ବୃଦ୍ଧି ଯୋଗୁଁ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ନାରା ଭୁନେଶ୍ୱରୀ ମାତ୍ର ୪ ଦିନ ମଧ୍ୟରେ ୫୩୫ କୋଟି ଟଙ୍କା ଲାଭ କରିଛନ୍ତି ଏବଂ ତାଙ୍କ ପୁଅ ନାରା ଲୋକେଶ ୨୩୭ କୋଟି ଟଙ୍କା ଲାଭ କରିଛନ୍ତି।

ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ନାରା ଭୁନେଶ୍ୱରୀ ହେରିଟେଜ୍ ଫୁଡ୍ସ ଲିମିଟେଡରେ 24.37 ପ୍ରତିଶତ ଏବଂ ପୁଅ ନାରା ଲୋକେଶ 10.82 ପ୍ରତିଶତ ଅଂଶଧନ ପାଇଛନ୍ତି। ହେରିଟେଜ୍ ଫୁଡ୍ସର ସେୟାର ସବୁ 661.25 ଟଙ୍କାରେ ପହଞ୍ଚିଛି | ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ଜୁନ୍ ୩ରେ ଏହି ଅଂଶର ମୂଲ୍ୟ 424.45 ଟଙ୍କା ଥିଲା। ହେରିଟେଜ୍ ଫୁଡ୍ ସେୟାର ମୂଲ୍ୟ କ୍ରମାଗତ ୩ ଦିନ ମଧ୍ୟରେ ବୃଦ୍ଧି ପାଇଛି | ଆଜି ମଧ୍ୟ ଏହି ଅଂଶ 10 ପ୍ରତିଶତ ଉପର ବୃଦ୍ଧି ସହିତ 661.25 ଟଙ୍କାରେ ରହିଛି |

ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ୧୯୯୨ରେ ହେରିଟେଜ ଫୁଡ୍ସର ପ୍ରତିଷ୍ଠା କରିଥିଲେ। ଅଭିବୃଦ୍ଧି ମାମଲାରେ ଏହା ଦେଶର ପ୍ରଥମ ଘରୋଇ କମ୍ପାନୀ ହେବାର ରେକର୍ଡ କରିଛି।କମ୍ପାନୀର ଦୁଇଟି ବ୍ୟବସାୟ ରହିଛି। ଗୋଟିଏ ହେଲା ଡାଏରୀ ଓ ଆଉ ଗୋଟିଏ ହେଲା ପୁନଃନବୀକରଣ ଯୋଗ୍ୟ ବିଜୁଳି। ବର୍ତ୍ତମାନ ହେରିଟେଜ କ୍ଷୀର ଓ ଦୁଗ୍ଧ ଜାତୀୟ ଉତ୍ପାଦ ଆନ୍ଧ୍ର, ତେଲାଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକା, ତାମିଲନାଡୁ, କେରଳ, ଓଡ଼ିଶା, ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ମାର୍କେଟରେ ବିକ୍ରି ହେଉଛି।

କମ୍ପାନୀରେ ନାରା ଭୁବନେଶ୍ୱରୀଙ୍କର ସର୍ବାଧିକ ୨,୨୬,୧୧,୫୨୫ଟି ଶେୟାର ରହିଛି। ତାଙ୍କ ପୁଅ ନାରା ଲୋକେଶ ୧,୦୦,୩୭,୪୫୩ ଶେୟାର ରଖିଛନ୍ତି। ଜୁନ ୪ ଠାରୁ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଛି କାରଣ ଜୁନ ୪ରେ ଭୋଟ ଗଣତି ହେବା ସହ ଟିଡିପି ଆନ୍ଧ୍ରରେ କ୍ଷମତା ଦଖଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଆନ୍ଧ୍ରରେ ଟିପିଡି ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୬ଟିରେ ଜିତିଛି।

Leave a Reply

Your email address will not be published. Required fields are marked *