ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ , ଇଞ୍ଜିନିୟର ଜୟକିଶିନ୍ ମନକାନୀଙ୍କୁ କଲେ ବିବାହ …
1 min readବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ । ରବିବାର ଦିନ ମୁମ୍ବାଇର ଇଞ୍ଜିନିୟର ଜୟକିଶିନ୍ ମନକାନୀଙ୍କୁ ବିବାହ କରିଛନ୍ତି । ଭୁବନେଶ୍ୱରର ପଟିଆ ଅଞ୍ଚଳର ଏକ ତାରକା ହୋଟେଲରେ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ତାଙ୍କର ବିବାହ ଉତ୍ସବରେ ରାଜ୍ୟ ତଥା ଦେଶର ନାମୀଦାମୀ ଚେସ୍ ତାରକା ଉପସ୍ଥିତ ଥିଲେ ।
୫ ଜାନୁଆରୀ ୧୯୯୪ରେ କଟକ ଜିଲ୍ଲା ବଡ଼ମ୍ବାଠାରେ ପଦ୍ମିନୀ ରାଉତ ଜନ୍ମଗ୍ରହଣ କରିଥିଲେ । ସେ ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ୧୧ ବର୍ଷରୁ କମ୍ ବୟସ ବର୍ଗରେ ୨୦୦୫ରେ ସେ ଜାତୀୟ ପ୍ରତିଯୋଗିତା ଜିତି ଥିଲେ । ସେହିପରି ୨୦୦୬ରେ ସେ ୧୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍ ଏସୀୟ ପ୍ରତିଯୋଗିତା ଜିତିଥିଲେ । ୨୦୦୮ରେ ପଦ୍ମିନୀ ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ । ୨୦୦୯ରେ ସେ ୨୦ ବର୍ଷରୁ କମ୍ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୧୦ରେ ସେ ୧୯ ବର୍ଷରୁ କମ୍ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ ।
ପଦ୍ମିନୀ ଜାତୀୟ ମହିଳା ଚେସ୍ ଚାମ୍ପିୟନଶିପ୍ରେ ଲଗାତର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ୨୦୧୫ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନଶିପ୍ ଜିତିଥିଲେ । ତେବେ ପଦ୍ମିନୀଙ୍କ ଖେଳ ଜୀବନ ଯେମିତି ସଫଳ ହୋଇଛି ସେହିପରି ବୈବାହିକ ଜୀବନ ସଫଳ ହେଉ ବୋଲି ଉପସ୍ଥିତ ଥିବା ଅତିଥିଙ୍କ ସହିତ ସାରା ଓଡିଶାବାସୀ କାମନା କରିଛନ୍ତି ।