Pratidin TV

Odisha's Digital News Platform

ଆଜି ବିଶ୍ୱ ଛେନାପୋଡ ଦିବସ , ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି..

1 min read

ଛେନାପୋଡ… ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ ଥରେ ଖାଇବାକୁ ମନ ବଳାଇଛି ନିଶ୍ଚୟ । ପିଠା ହେଉ ହେଉ ହୋଇଯାଇଥିବା ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ୱତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ୱାଦ ସେତେ ବଢିଥାଏ । ବିଶ୍ୱ ଦରବାରରେ ଏହି ମିଠା ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଓଡିଆଙ୍କ ପ୍ରିୟ ମିଠାର ସ୍ୱାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ ।

ପ୍ରତ୍ୟେକ ନୟାଗଡିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ । ଛେନାପୋଡର ସ୍ରଷ୍ଟା ହେଉଛନ୍ତି ସୁଦର୍ଶନ ସାହୁ । ୧୯୪୫ ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ କଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା ।

Advertisement

ମାତ୍ର ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ ରହିଛି । ଏପ୍ରିଲ ୧୧ ତାରିଖରେ ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ଛେନାପୋଡର ସୃଷ୍ଟି ନୟାଗଡରୁ ଏହା ସମସ୍ତଙ୍କୁ ଜଣା । ୨୦୨୨ ମସିହାରୁ ‘ହେଲପିଙ୍ଗ ହ୍ୟାଣ୍ଡସ’ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ପ୍ରଥମେ ଛେନା ସଂଗ୍ରହ କରାଯାଏ । ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଇତ୍ୟାଦି ମିଶାଯାଏ । ଏହାପରେ ଏକ ରସ ପାତ୍ରରେ ତାହାକୁ ରଖାଯାଏ । ତାହାକୁ କଡା ନିଆଁ ଆଞ୍ଚରେ ବସାଯାଇ ପୋଡାଯାଏ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଛେନାପୋଡର ମାନକୁ ଦେଖି ତାର ଦରଦାମ ରହିଛି । କିଲୋ ପିଛା ୧୦୦ରୁ ୨୫୦ ଟଙ୍କା ଯାଏ ଛେନାପୋଡ ବିକ୍ରି କରାଯାଏ । ଏହି ପ୍ରସିଦ୍ଧ ଛେନାପୋଡ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି ।

ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡକୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ୱୀକୃତି ପାଇଁ ଦାବି ହୋଇ ଆସୁଛି । ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ ହୋଇଥିବା ବେଳେ ଏହା ଆମ ଓଡିଶାର ଗର୍ବ ଓ ଗୌରବର ଉତ୍ସବ । ଜିଆଇ ଟ୍ୟାଗ ମିଳିଲେ ଏହା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ବିଷୟ ହେବ ।

Leave a Reply

Your email address will not be published. Required fields are marked *