Pratidin TV

Odisha's Digital News Platform

ସୁବର୍ଣ୍ଣପୁରରେ କୃଷ୍ଣ ଚୂଡାର ଶୋଭା ; ଅସହ୍ୟ ତାତିରୁ ବାଟୋଇଙ୍କୁ ଏପରି ଦେଉଛି ଆରାମ…

1 min read

ସୁବର୍ଣ୍ଣପୁର ; କୃଷ୍ଣଚୁଡାର ସହର ସୁବର୍ଣ୍ଣପୁର।ସହରର ସୋନପୁର ମହାବିଦ୍ୟାଳୟ ରାସ୍ତାରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା ଓ ଆକର୍ଷଣୀୟ ଲାଗୁଛି । ପ୍ରକୃତି ରାଣୀ ଏଇ ଗ୍ରୀଷ୍ମରେ ଯେପରି ନାଲି ଓଢଣୀରେ ଢାଙ୍କି ହୋଇଥିବା ପରି ମନେ ହେଉଛି।ସହରର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଯାଏଁ ଶତାଧିକ କୃଷ୍ଣଚୁଡା ଗଛରେ ପେନ୍ଥା ପେନ୍ଥା ହୋଇ ଫୁଲ ଫୁଟିଛି।କୃଷ୍ଣଚୁଡାର ଗଛ ତଳେ ଚାଦର ପଡିଥିବା ପରି ନାଲି କୃଷ୍ଣଚୁଡା ଫୁଲ ବିଛେଇ ହୋଇ ପଡୁଛି। ସତେ ଯେମିତି ଲାଗୁଛି ସକାଳୁ ସକାଳୁ ପ୍ରକୃତି ରାଣୀ ବାଟୋଇ ମାନଙ୍କ ପାଇଁ ଧରିତ୍ରୀ ପୃଷ୍ଠରେ ନାଲି କାର୍ପେଟ ବିଛେଇ ଦେଇଛି।

ଦିନ ଥିଲା ,ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା , ସୋନପୁର ମହାବିଦ୍ୟାଳୟ ରାସ୍ତା,ପଟାଭାଡ଼ି ରାସ୍ତା , ବାବା ରାମେଶ୍ୱର ରାସ୍ତାର ଦୁଇ ପାର୍ଶ୍ଵରେ କିଲୋମିଟର ବ୍ୟାପି କୃଷ୍ଣଚୁଡା ଗଛ ଦେଖିବାକୁ ମିଳୁଥିଲା। ପୁରୁଣା ଗଛ ସବୁ ଗ୍ରୀଷ୍ମରେ ଯାତ୍ରୀ ମାନଙ୍କୁ ଛାଇ ପ୍ରଦାନ କରୁଥିବା ସହିତ ନାଲି କୃଷ୍ଣଚୁଡାର ଫୁଲରେ ପ୍ରକୃତି ବେଶ ଲୋଭନୀୟ ଲାଗୁଥିଲା।ହେଲେ ରାସ୍ତା ପ୍ରଶସ୍ତି କରଣ  କରିବା ପାଇଁ ସହରର ବିଭିନ୍ନ ରାସ୍ତାରେ ଥିବା ଶତାଧିକ କୃଷ୍ଣଚୁଡା ଗଛ କାଟି ଦିଆଗଲା। କୃଷ୍ଣଚୁଡା ସହିତ ପଲାସ ,ନିମ୍ବ, ଆମ୍ବ, ଜାମୁ ଆଦି ଗଛ ସହିତ ଅନେକ ପୁରୁଣା ବରଗଛକୁ ବି କାଟି ଦିଆଗଲା। ଏପରିକି ସହରର ବସଷ୍ଟାଣ୍ଡ ଚତୁର୍ପାର୍ଶ୍ୱରେ ଥିବା ଗଛସବୁ କାଟି ଦିଆଯାଇ ପୌର ପରିଷଦ ପକ୍ଷରୁ ଦୋକାନ ଘର ତିଆରି କରାଗଲା। ଫଳରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମରେ କି ମଣିଷ କି ପଶୁ ସଭିଏଁ ଛାଇ ମୁହାଁ ହେଉଥିବା ବେଳେ କିଲୋମିଟର ବ୍ୟାପି ରାସ୍ତାରେ ଗଛର ଛାଇ ଟିକିଏ ପାଉ ନାହାଁନ୍ତି।ତେବେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଓ ପରିବେଶ ପ୍ରେମୀଙ୍କୁ ସହରରେ ବ୍ୟାପକ ପରିମାଣରେ ଵୃକ୍ଷ ରୋପଣ ପାଇଁ ନିର୍ଭର ପ୍ରତିଶୃତି ଦେଇ ପୌର ପରିଷଦ ଗଛ ସବୁ କାଟି ଦେଇଥିବା ବେଳେ ଗୋଟିଏ ହେଲେ ବି ଗଛ ଲଗାଇ ବାରେ ପୌର ପରିଷଦ ସଫଳ ହୋଇ ନାହିଁ।

Advertisement

ଏବେ ଅଳ୍ପ କିଛି କୃଷ୍ଣଚୁଡା ଗଛ ଦେଖିବାକୁ ମିଳେ ସୋନପୁର ମହାବିଦ୍ୟାଳୟ ରାସ୍ତାରେ।ରାସ୍ତାର ଉଭୟ ପାର୍ଶ୍ୱରେ କୃଷ୍ଣଚୁଡା ଗଛ ସହିତ ମଝିରେ ମଝିରେ ରାଧାଚୁଡା ଗଛ ବି ଦେଖିବାକୁ ମିଳୁଛି।ମହାବିଦ୍ୟାଳୟ ନିକଟରେ ଥିବା ପଲାସ ବଣ ବି ଏବେ ମରୁଭୂଇଁରେ ପରିଣତ ହେଲାଣି।ସେହିପରି ବାବା ରାମେଶ୍ୱର ମନ୍ଦିର ନିକଟରେ ଥିବା ପଲାସ ବଣରୁ ଲୋକେ ଗଛସବୁ କାଟି ନେଇ ଗଲେଣି।ରାମେଶ୍ୱର ମନ୍ଦିର ନିକଟରେ ରିଂ ରୋଡ଼ ବାହାନାରେ ଗୋଟିଏ ଗଛ ବି ବାଦ ପଡିଲା ନାହିଁ ।ତେବେ କିଛି ବର୍ଷ ଆଗରୁ ଉଭୟ ବସନ୍ତ ଓ ଗ୍ରୀଷ୍ମରେ ସାରା ସୋନପୁର ଗଡଜାତ ପଲାସ ଓ କୃଷ୍ଣଚୁଡା ଫୁଲରେ ବେଶ ଆକର୍ଷଣୀୟ ଲାଗୁଥିଲା।ହେଲେ ଆଜି ସାରା ସହରରେ ସିମେଣ୍ଟ କଂକ୍ରିଟ ରାସ୍ତା ପ୍ରଶସ୍ତି କରଣ ପାଇଁ ସହର ମରୁଭୂଇଁରେ ପରିଣତ ହୋଇଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମରେ ତାପମାତ୍ରା ବଢି ବଢି ଚାଲିଛି।ତେବେ ନଦୀ ସଂଗମରେ ଗଢି ଉଠିଥିବା ଏହି ପ୍ରାଚୀନ ସହରର ଜନସାଧାରଣଙ୍କୁ ସ୍ୱଚ୍ଛ ବାୟୁ ଓ ଶିତଳତା ପ୍ରଦାନ ପାଇଁ ସଦର ପୌର ପରିଷଦ ,ଜିଲ୍ଲା ବନ ବିଭାଗ ଓ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ ଜରୁରୀ ହୋଇ ପଡ଼ିଥିବା ପରିବେଶ ପ୍ରେମୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *