Pratidin TV

Odisha's Digital News Platform

କଲେଜରେ କେମେଷ୍ଟ୍ରି ଅଧ୍ୟାପିକାଙ୍କୁ ଅଶାଳୀନ ଦୁର୍ବ୍ୟବହାର ଅଭିଯୋଗ , ନ୍ୟାୟ ପାଇଁ ଉପଜିଲ୍ଲାପାଙ୍କ ଦ୍ୱାରସ୍ତ

କେନ୍ଦ୍ରାପଡା ; ବିଦ୍ୟାଳୟ ହେଉ ଵା ମହାବିଦ୍ୟାଳୟ ,ବିଦ୍ୟାର୍ଥୀଙ୍କ ପାଇଁ ଏହା ମନ୍ଦିର ସଦୃଶ୍ୟ । ଏହି ମନ୍ଦିରରୁ ଗଢ଼ାଯାଏ ଦେଶ ଓ ବିଶ୍ୱର ଭବିଷ୍ୟତ । ଏହାର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା କରିବା ମନ୍ଦିର ସ୍ୱରୂପ ଶିକ୍ଷାନୁଷ୍ଠାନର କର୍ତୃପକ୍ଷଙ୍କ ପ୍ରଥମ କର୍ତ୍ତବ୍ୟ ହୋଇଥାଏ । କିନ୍ତୁ ଏଠି ଓଲଟା, ଶିକ୍ଷାନୁଷ୍ଠାନର କର୍ତୃପକ୍ଷ ଖୋଦ ଅଧ୍ୟକ୍ଷଙ୍କ ଆଚାର,ଉଚ୍ଚାରଣ, ମହିଳା ସହକର୍ମୀଙ୍କ ପ୍ରତି ଅଶାଳୀନ ଦୁର୍ବ୍ୟବହାର ଅଶାନ୍ତ କରିଛି ଏହି ମନ୍ଦିର ପରିସରକୁ । ଏମିତି ଏକ ଘଟଣା ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟର କେମେଷ୍ଟ୍ରି ଅଧ୍ୟାପିକାଙ୍କୁ ଅଶାଳୀନ ମନ୍ତବ୍ୟରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଅଧ୍ୟାପିକା ଜଣଙ୍କ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ ସମ୍ପୃକ୍ତ ଅଧ୍ୟାପିକା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଅଭିଯୋଗରୁ ପ୍ରକାଶ,ରସାୟନ ବିଜ୍ଞାନର ଅଧ୍ୟାପିକା ସ୍ଵାତି ପରିଡା ଗତ ୬ ତାରିଖ ସକାଳ ୮ଟା ସମୟରେ କଲେଜରେ ପହଞ୍ଚିଥିଲେ । କିରାଣୀଙ୍କ ଟେବୁଲ ଉପରେ ଷ୍ଟାଫ ଆଟେଣ୍ଡାନ୍ସ ନଥିବା ଦେଖି ଅଧ୍ୟାପିକା କ୍ଲାସ ରୁମକୁ ଚାଲି ଯାଇଥିଲେ । ଏହାପରେ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ଜଣ ଅଧ୍ୟାପକ ସ୍ୱାତୀ କୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଡାକି, କାହିଁକି ଉପସ୍ଥାନରେ ଦସ୍ତଖତ କରିନାହଁ ବୋଲି ପଚାରିବା ସହ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଅଧ୍ୟାପିକାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ତାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ଅଶାଳୀନ ଇଙ୍ଗିତ କରିଥିବା କହିଛନ୍ତି ଅଧ୍ୟାପିକା ।

ପରେ ଏହି ଘଟଣାକୁ ନେଇ କଲେଜରେ ଉତେଜନା ପ୍ରକାଶ ପାଇଥିଲା । ନ୍ୟାୟ ପାଇଁ ଅଧ୍ୟାପିକା ସ୍ୱାତୀ କୁଦାନଗରୀ ଥାନାରେ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ଜଣ ଅଧ୍ୟାପକଙ୍କ ବିରୋଧରେ ଏତଲା ଦେଇଥିଲେ । ତେବେ ପୋଲିସର ନିଷ୍କ୍ରିୟତା ପାଇଁ ସମ୍ପୃକ୍ତ ଅଧ୍ୟାପିକା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଘଟଣା ସମ୍ପର୍କରେ କରିଲୋପାଟଣା କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କୁ ପଚାରିବାରୁ ଅଧ୍ୟାପିକା ସ୍ୱାତୀ ପରିଡା ବିଳମ୍ବରେ ଆସିଥିବାରୁ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *