ମହଙ୍ଗା ମାଡରୁ ମୁକ୍ତି: ଏତିକି ଟଙ୍କା କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ
1 min readନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୁଣି ଥରେ ଆଶ୍ୱସ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ କିଗ୍ରା ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ୧୯ କିଗ୍ରାର ସିଲିଣ୍ଡର ମୂଲ୍ୟକୁ ବୁଧବାର ଦିନ ୧୩୫ ଟଙ୍କା ହ୍ରାସ କରାଯାଇଛି । କ୍ରମାଗତ ୩ ମାସ ଧରି ବ୍ୟବସାୟିକ ସିଲିଣ୍ଡରର ରେଟ୍ ବଢାଯିବା ପରେ ଶେଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ମୂଲ୍ୟ ହ୍ରାସ କରିଛନ୍ତି ସରକାର । ମାର୍ଚ୍ଚ ମାସରେ ୧୦୫, ଏପ୍ରିଲରେ ୨୫୦ ଏବଂ ମେ ୧ ତାରିଖରେ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ନିକଟରେ ତେଲ ଦର ଉପରେ ପ୍ରବର୍ତ୍ତନ ଶୁଳ୍କ ହ୍ରାସ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଜ୍ଜ୍ୱଳା ଗ୍ୟାସର ମୂଲ୍ୟ ହ୍ରାସ କରାଯାଇଥିଲା ।
ଦେଶରେ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୧୭ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ, ଡିଜେଲ ଏବଂ ଉଜ୍ଜ୍ୱଳା ଯୋଜନାରେ ମିଳୁଥିବା ଗ୍ୟାସ ଉପରେ ରିହାତି ପ୍ରଦାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲେ ହେଁ ସାଧାରଣ ରନ୍ଧନ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଏହି ମୂଲ୍ୟ ହ୍ରାସ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କା ରହିଥିବା ବେଳେ କୋଲକାତାରେ ୨୩୨୨, ମୁମ୍ବାଇରେ ୨୧୭୧.୫୦ ଏବଂ ଚେନ୍ନାଇରେ ୨୩୭୩ ଟଙ୍କା ରହିଛି ।