ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା , ଫ୍ରିଜ୍ ହେଲା ବ୍ୟାଙ୍କର ସବୁ ଆକାଉଣ୍ଟ…
1 min readସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ ଝଟକା । ଅଚଳ ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । କେବଳ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇନି । କଂଗ୍ରେସ ଉପରେ ୨୧୦ କୋଟି ଟଙ୍କା ଟ୍ୟାକ୍ସ ମଧ୍ୟ ଲଗାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ।
ଅଜୟ କହିଛନ୍ତି, ‘‘କଂଗ୍ରେସ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି । ଏହା କଂଗ୍ରେସର ଆକାଉଣ୍ଟୁ ବନ୍ଦ କରାଯାଇ ନାହିଁ । ବରଂ ଆମ ଦେଶର ଗଣତନ୍ତ୍ର ଫ୍ରିଜ୍ ହୋଇଯାଇଛି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏଭଳି ନିଷ୍ପତ୍ତି ନେଇ ସରକାର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରୁଛନ୍ତି । ଆୟକର ବିଭାଗ ୨୧୦ କୋଟି ଟଙ୍କା ମାଗୁଛି । ଏଭଳି ଆକାଉଣ୍ଟ ଫ୍ରିଜ୍ କରିବା ଦ୍ୱାରା ନା କାହାକୁ ବେତନ ଦିଆଯାଇପାରୁଛି ନା କୌଣସି ବିଲ ଭରାଯାଇପାରୁଛି । ମେମ୍ବରସିପ୍ ଡ୍ରାଇଭ ଜରିଆରେ ଯୁବ କଂଗ୍ରେସ ଯେଉଁ ଟଙ୍କା ଏକାଠି କରିଥିଲା ତାକୁ ମଧ୍ୟ ଫ୍ରିଜ୍ କରିଦିଆଯାଇଛି ’’ ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଦଳ ପକ୍ଷରୁ ଆୟକର ଦାଖଲ କରିବାରେ ବିଳମ୍ବ ହୋଇଥିଲା । କିନ୍ତୁ ପରେ ଆୟକର ଦାଖଲ ପାଇଁ ୪୫ ଦିନର ସମୟ ମିଳିଥିଲା । ଏହା ସତ୍ତ୍ୱେ ମଧ୍ୟ ଆକାଉଣ୍ଟକୁ ଫ୍ରିଜ୍ କରିବାର ଅର୍ଥ କଣ? କୌଣସି କାମ ପାଇଁ ଟଙ୍କା ଦିଆ ଯାଇପାରୁନି । ନା ବ୍ୟାଙ୍କରେ ଟଙ୍କା ଜମା କରାଯାଇ ପାରୁଛି ନା ବ୍ୟାଙ୍କରୁ ଟଙ୍କା ଉଠାଯାଇପାରୁଛି ।’’ ଯେପର୍ଯ୍ୟନ୍ତ ଇନକମଟ୍ୟାକ୍ସ ରେ ଟଙ୍କା ଡିପୋଜିଟ୍ କରାଯାଇ ନାହିଁ ସେପର୍ଯ୍ୟନ୍ତ କୌଣସି ଚେକ୍ ଗ୍ରହଣ ନକରିବାକୁ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି ।