Pratidin TV

Odisha's Digital News Platform

ଖୋଲିଲା ମିଶନ ଶକ୍ତି CRPଙ୍କ ମୃତ୍ୟୁ ଉପରୁ ପରଦା , ସର୍ମ୍ପକ ରଖିବା ପରେ ତଣ୍ଟିଚିପି ହତ୍ୟା କରିଥିଲା ସପ୍ତମ

ବଲାଙ୍ଗୀର ପୁଇଁତଲା ଥାନା କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ଆଜି ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ହତ୍ୟା ଘଟଣାର ସମ୍ପୂର୍ଣ ବିବରଣୀ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ ସମୟରେ କେସେର୍‌କେଲା ଗାଁର ଘନଶ୍ୟାମ ବଗର୍ତ୍ତି ପୁଇଁତଲା ଥାନାରେ ଏକ ଖବର ଦେଇଥିଲେ । କେସେର୍‌କେଲା ଗାଁ ମୁଣ୍ଡ ପମ୍ପହାଉସ୍‌ ପାଖ ପଡ଼ିଆରେ ଜଣେ ମହିଳାଙ୍କ ଶବ ମୁହଁମାଡ଼ି ପଡ଼ି ରହିଥିବା ସେ ଖବର ଦେଇଥିଲେ ଓ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସେ ସୂଚନାରେ କହିଥିଲେ । ଏହାକୁ ଭିତ୍ତି କରି ପୁଇଁତଲା ଥାନା ପୋଲିସ ମାମଲା ରୁଜ୍ଜୁ କରି ଆରମ୍ଭ କରିଥିଲା ତଦନ୍ତ ।

ଘଟଣାସ୍ଥଳରେ ସଦଳବଳେ ତୁରନ୍ତ ପହଞ୍ଚିଥିଲେ ପୋଲିସ । ଏସ୍‌ପି ରିଷିକେଶ ଖିଲାରୀ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି ଘଟଣାସ୍ଥଳର ପାରିପାଶ୍ୱରକ ସ୍ଥିତରୁ ଅନୁମାନ ହୋଇଥିଲା । ଘଟଣାସ୍ଥଳରେ ସାଇନ୍‌ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ୱାର୍ଡ ପହଂଚି ତନ୍ନତନ୍ନ କରି ଛାନ୍‌ଭିନ୍‌ କରାଯାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଶବ ଜବତ ପରେ ଶବ ଚିହ୍ନଟ ହୋଇଥିବା ଏସ୍‌ଡ଼ିପିଓ ଶ୍ରୀ ସାହୁ କହିଛନ୍ତି । ବୌଦ୍ଧ ଜିଲ୍ଲା କଂଟାମାଲ ଅନ୍ତର୍ଗତ ବରିଗୁଭା ଗାଁର ସଂଯୁକ୍ତା ହର୍‌ପାଲ୍‌ଙ୍କ ଶବ ବୋଲି ଚିହ୍ନଟ ହେବା ପରେ ଅନ୍ୟ ଦିଗଗୁଡ଼ିକ ଉପରେ ତନାଘନା ତଦନ୍ତ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଲେ କଂଟାମାଲ ନିକଟସ୍ଥ ଖଲିଆପାଲିର ସପ୍ତମ ବଗର୍ତ୍ତି । ମୃତ ମହିଳା ସଂଯୁକ୍ତା ଅଭିଯୁକ୍ତ ସପ୍ତମ ବଗର୍ତ୍ତି ସହ ଗତ ୪/୫ ଦିନ ହେଲା ସମ୍ପର୍କରେ ଆସିଥିଲେ । ଅଭିଯୁକ୍ତ ସପ୍ତମ ବଗର୍ତ୍ତି ଚୋରା ଗଂଜେଇ କାରବାରରେ ଲିପ୍ତି ଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ ମହିଳାଙ୍କୁ ସପ୍ତମ ଗଂଜେଇ କାରବାରରେ ତାଙ୍କୁ ସହଯୋଗ କରିବା ପାଇଁ କହିବା ସହ ମୋଟର ସାଇକେଲ୍‌ରେ ଆସିବାକୁ କହିଥିଲେ । ଅର୍ଥ ଲାଳସାରେ ସଂଯୁକ୍ତା ସପ୍ତମଙ୍କ କହିବା ମୁତାବକ ଆସିଥିଲେ । ୨୧ ତାରିଖ ଅପରାହ୍ନ ୪ଟା ବେଳେ ସଂଯୁକ୍ତାଙ୍କୁ ଧରି ସପ୍ତମ ବଲାଙ୍ଗିରର ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ । ଗଂଜେଇ ବିକ୍ରି ହୋଇ ପାରିଲା ନାହିଁ ବୋଲି କହି ସପ୍ତମ ସଂଯୁକ୍ତାଙ୍କୁ କେସେର୍‌କେଲା ପଡ଼ିଆ ପାଖକୁ ନେଇଯାଇଥିଲେ ଓ ସେଠାରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ହୋଇଥିଲା । ଏହାପରେ ସଂଯୁକ୍ତା ଆଣିଥିବା ଗଂଜେଇ ବାବଦକୁ ସପ୍ତମଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଯଦି ଟଙ୍କା ନଦେବୁ ତାହେଲେ ତୁ’ ମୋ ସହ ଯାହା କରିଛୁ, ତାହା ଗାଁରେ କହିଦେବି ବୋଲି ସଂଯୁକ୍ତା କୁଆଡେ଼ ଅଭିଯୁକ୍ତଙ୍କୁ କହିଥିଲେ । ଏଥିରେ ଅଭିଯୁକ୍ତ ସପ୍ତମ ରାଗିଯାଇ ସଂଯୁକ୍ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ସହ ତାଙ୍କ ଲୁଗାରେ ଘଟଣାସ୍ଥଳରେ ବମୁର ଗଛରେ ସଂଯୁକ୍ତାଙ୍କୁ ଟାଙ୍ଗି ଦେଇଥିଲେ ।

Leave a Reply

Your email address will not be published. Required fields are marked *