Pratidin TV

Odisha's Digital News Platform

କେବେ ମିଳିବ ଆଶା ଦିଦି’ଙ୍କ ଭିନ୍ନକ୍ଷମ ପୁଅକୁ ସରକାରୀ ସହାୟତା ?

1 min read

କଟକ : ଆଜି ସେ ନିଜ ପୁଅ ପାଇଁ ଚାହିଁ ବସିଛନ୍ତି ସରକାରଙ୍କ ହାତକୁ । କେବେ ପ୍ରଶାସନର ଦୃଷ୍ଟି ପଡିବ ଆଉ ପୁଅକୁ ସରକାରୀ ସହାୟତା ମିଳିବ । ପେଶାରେ ସେ ଜଣେ ଆଶା କର୍ମୀ ଆଉ ସକାଳ ହେଲେ ବାହାରି ପଡନ୍ତି ନିଜର କର୍ମ ପଥରେ, ଘର ଘର ବୁଲି ପ୍ରସୂତି ଓ ନବ ଜାତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ର ଦେଖାରେଖା କରିବା ପାଇଁ ନିଜ ଜୀବନଟାକୁ ଉତ୍ସର୍ଗମୟ କରିଦେଇଛନ୍ତି ।

ନିଜ କର୍ମମୟ ଜୀବନରେ ନିଜେ ସବୁବେଳେ ବେସ୍ତ ରହିଥିଲେ ମଧ୍ୟ ସର୍ବଦା ମନରେ ଚିନ୍ତା ଘାରୁଥାଏ ଘରେ ପଡିରହିଥିବା ତାଙ୍କର ଏକ ରୋଗୀଣା ପୁଅଟି ପାଇଁ । କେତେବେଳେ କାମ ସାରି ଯିବେ ଆଉ ପୁଅର କଥା ବୁଝିବେ । କାହିଁକି ନା ସେ ତାର ନିଜ କାମ ନିଜେ ତୁଲେଇବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ । ନିଜ ସଂଘର୍ଷମୟ କାହାଣୀକୁ ଆମ ପ୍ରତିଦିନ ଟିଭି ସହ ବାଣ୍ଟିଛନ୍ତି ଆଶା ଦିଦି ଲିଲି । ଚାଲନ୍ତୁ ଜାଣିବା ସମସ୍ତଙ୍କୁ ସହାୟତା କରୁଥିବା ଏହି ଆଶା ଦିଦିଙ୍କ ଛୋଟିଆ ଆଶା ଉପରେ? କଟକ ଜିଲ୍ଲା ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତ ମାଳବିହାର ପୁର ଗାଁର ଆଶା କର୍ମୀ ଲିଲି ରଣା ନିଜ ବଡ ପୁଅ ପାଇଁ ତାଙ୍କ ମନରେ ଖୁବ୍ ଦୁଃଖ । ପୁଅ ଜନ୍ମ ହେଲା ବେଳେ ଭାରୀ ଖୁସି ଥିଲେ ଲିଲି ଓ ତାଙ୍କ ପରିବାରର । କିନ୍ତୁ ଜନ୍ମର କିଛି ମାସ ପରେ ହିଁ ଜଣାପଡିଯାଇଥିଲା ପୁଅ ଅପସ୍ମାର ବା ମାନସିକ ଓ ଶାରୀରିକ ଭାବେ ବିକଳାଙ୍ଗ । ଏହି କଥାଟି ସମୃକ୍ତ ପରିବାରର ଉପରେ ଦୁଃଖର ବାଦଲ ଛାଇଦେଇଥିଲା । ପୁଅ ପାଠ ପଢିବ ଭଲ ମଣିଷ ହେବା ପାଖରୁ ବଡ ଚାକିରୀ ଯାଏଁ ସବୁ ସ୍ୱପ୍ନ ଦେଖିଦେଇଥିଲେ ଲିଲି ହେଲେ କାଚର ଆଇନା ଭଳି କିଛି ସମୟ ମଧ୍ୟରେ ଲିଲିଙ୍କ ଆଶା ସ୍ୱପ୍ନ ସବୁ ଭାଙ୍ଗି ଚୂର ମାର ହୋଇଯାଇଥିଲା । ପୁଅ ବଡ ହେବା ସହ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅସମର୍ଥ ହୋଇପଡିଛି । ତାଙ୍କର ଖାଦ୍ୟ ପେୟ ଠାରୁ ଆରମ୍ଭ କରି ମଳ, ପରିସ୍ରା ତ୍ୟାଗ ପାଇଁ ମଧ୍ୟ ଦରକାର ପଡେ ଦୁଇ ତିନିଜଣ ଙ୍କର ସହଯୋଗ । ଯାହା ମା ଲିଲି ରଣା ଏବଂ ତାଙ୍କ ବୁଢ଼ୀ ମା ଏସବୁ କାର୍ଯ୍ୟ ସବୁଦିନ କଷ୍ଟେ ମଷ୍ଟେ ତୁଲାଉଛନ୍ତି ।

Advertisement

କିନ୍ତୁ ଏସବୁ ପରେ ଦିବ୍ୟାଙ୍ଗ ପୁଅ ମନୋଜଙ୍କ ଘରୁ ବାହାରକୁ ଯିବା ବା ଗାଁ ଦାଣ୍ଡକୁ ଯାଇ ଟିକେ ବୁଲିଆସିବା ପାଇଁ ମନରେ ରହିଛି ଅହେତୁକ ଇଛା କିନ୍ତୁ ସେ ନିଜେ ବାହାରକୁ ଯିବା ତ ଅସମ୍ବବ । ମାଁ କାମ ଦାମ ସାରି ନିଜ କର୍ମ କ୍ଷେତ୍ରକୁ ବାହାରିଯାଏ । ଆଉ ବୁଢୀମାଟା ଏକୁଟିଆ କଣ ନାତି ଟୋକାକୁ ଉଠାଇ ପାରିବା ଏନେଇ ମନୋଜଙ୍କ ପାଇଁ ଏକ ହୁଇଲ୍ ଚେୟାର ହେଲେ ସହଜରେ ସବୁ କାମ କରିହୁଅନ୍ତା । ଯଦି ହୁଇଲ ଚେୟାର ଟିଏ ହୁଅନ୍ତା ତେବେ ଦିବ୍ୟାଙ୍ଗ ମନୋଜଙ୍କ ସବୁଦିନିଆ ନିତ୍ୟକର୍ମ ପାଇଁ ବି ତାକୁ ଘରୁ ବାହାରକୁ ଟିକେ ନେଇ ପାରନ୍ତେ ବୋଲି କହିଛନ୍ତି ତାଙ୍କ ପରିବାର । କିନ୍ତୁ ଦିବ୍ୟାଙ୍ଗ ଙ୍କ ଏ ଆବଶ୍ୟକତା ଆଗରେ ଅସହାୟ ସାଜିଛନ୍ତି ତାଙ୍କ ପରିବାର ।

କାରଣ ଲିଲିଙ୍କ ସ୍ୱାମୀ ଭିକାରି ରଣା ଜଣେ ଦିନ ମଜୁରିଆ ସହ କିଛି ଚାଷ ବେଉସା କୁ ଜୀବିକା କରିଥିଲେ ମଧ୍ୟ, ନିଜର ରୁଗ୍ଣତା ପାଇଁ ନିଜର ଔଷଧ ଖର୍ଚ୍ଚ ସାଙ୍ଗକୁ, ପରିବାର ର ସମ୍ପୂର୍ଣ୍ଣ ପ୍ରତିପୋଷଣ କରିବାକୁ ସେ ଅସମର୍ଥ । ଅନ୍ୟପଟେ ଲିଲି ତାଙ୍କର ସ୍ୱଳ୍ପ ରୋଜଗାରକୁ ନେଇ ମଧ୍ୟ ଏଥି ପାଇଁ ଅସମର୍ଥ ।

ଏବଂ ଦୈନନ୍ଦିନ ଅନ୍ୟର ସନ୍ତାନର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଜଣେ ଆଶା କର୍ମୀ ଲିଲି ରଣା ଏବେ ନିଜ ପୁତ୍ରର ଆବଶ୍ୟକତା ଓ ଅସହାୟତା ଆଗରେ ସାଜିଛନ୍ତି ନିରୁପାୟ । ଏ ବାବଦରେ ସେ ବହୁବାର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏ ଯାଏଁ କିଛି ସହାୟତା ମିଳିପାରିନାହିଁ । ତେବେ ସରକାର ଅସହାୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଳ ମାଳ ଯୋଜନା ସାଙ୍ଗକୁ ବହୁ ପ୍ରକାରର ସହାୟତା ଓ ସହଯୋଗ ଓଜାଡି ଦେଉଥିବା ବେଳେ ଏ ହତଭାଗା ଦୁଖୀ ଦିବ୍ୟାଙ୍ଗ ମନୋଜଙ୍କୁ ଏତେ ଅଣଦେଖା ବା ହତାଦର କଣ ପାଇଁ ?ତେବେ ଦେଖାଯାଉ କେବେ ଏ ଦୁଖୀ ଦିବ୍ୟାଙ୍ଗ ମନୋଜଙ୍କ ଉପରେ ଦୃଷ୍ଟି ପଡୁଛି ସରକାର ବା ସ୍ଥାନୀୟ ପ୍ରଶାସନଙ୍କର ଆଉ କେବେ ଦୁଃଖ ଦୂର ହେଉଛି ଏ ଦୁଃଖିନୀ ମା ଲିଲି ରଣା ଙ୍କର ।

Leave a Reply

Your email address will not be published. Required fields are marked *