ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି କହି ନେଇଗଲେ ଦେଢ କୋଟି
1 min readନିଜକୁ କ୍ରାଇମବ୍ରାଞ୍ଚ ଡିସିପି କହି ବୃଦ୍ଧଙ୍କ ଠାରୁ ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା | ନକଲି ଡିସିପି କହି ଭିଡ଼ିଓ କଲ କରିଥିବା ବ୍ୟକ୍ତି ଜଣକ ବୃଦ୍ଧାଙ୍କୁ ଘରୁ ୩ ଦିନ ପର୍ଯ୍ୟନ୍ତ ନ ବାହାରିବାକୁ କହି ଏକପ୍ରକାର ଗୃହବନ୍ଦୀ କରି ରଖିଥିଲେ | ଏହାପରେ ବୃଦ୍ଧା ଜଣକ ଏକ ବଡ ଧରଣର ଠକେଇର ଶିକାର ହୋଇଥିବାର ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ | ଏହି ଘଟଣାରେ ପୋଲିସ ୪ ଜଣଙ୍କୁ କରିଛି ଗିରଫ | ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ |
ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ବୃଦ୍ଧାଜଣକ କାକୋଳି ଦାସ ବୋଲି ଜଣାପଡିଛି | କାକୋଳି ଦାସ ଜଣେ ସିବିଆଇ ଅଫିସରଙ୍କ ପତ୍ନୀ। ଗତ କିଛି ବର୍ଷ ହେବ ସ୍ୱାମୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏକମାତ୍ର ଝିଅ ବିଦେଶରେ ରହୁଛନ୍ତି | ତେଣୁ କାକୋଳି ଦାସ ଏକୁଟିଆ ରହୁଥିଲେ |
ଗତ ୨୩ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍ ଆସିଲା। କଲ୍ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି ପରିଚୟ ଦେଇଥିଲେ | ଏହାପରେ ତାଇୱାନରୁ ଆପଣଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ସ , ୩ କ୍ରେଡିଡ କାର୍ଡ ଓ ୫ ଲାପଟପ୍ ରହିଛି। ତେଣୁ ଆପଣ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦିଅନ୍ତୁ, ଆମେ ଯାଞ୍ଚ କରିବୁ ବୋଲି ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ।
ଏଥିରେ ଭୟଭୀତ ହୋଇଯାଇଥିବା ବୃଦ୍ଧା ଜଣକ ତୁରନ୍ତ ନିଜ ବ୍ୟାଙ୍କ ଖାତା ଡିଟେଲସ ଦେଇ ଦେଇଥିଲେ | କିଛି ସମୟ ମଦ୍ୟରେ କାକୋଳିଙ୍କ ବ୍ୟାଙ୍କ ଖାତାରୁ ୧ କୋଟି ୪୮ ଲକ୍ଷ ଟଙ୍କା କଟି ଯାଇଥିଲା।
ଏହାପରେ ପୁଲିସ୍ ୟୁନିଫର୍ମରେ ଥିବା ଜଣେ ବ୍ୟକ୍ତି କାକୋଳିଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଭିଡିଓ କଲ୍ କରି ନିଜକୁ କ୍ରାଇମବ୍ରାଞ୍ଚ ଡିସିପି ବୋଲି କହିଥିଲେ। ଏଥିସହ ୩ ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କିମ୍ବା କାହାକୁ କିଛି ନ କହିବାକୁ କହିଥିଲେ। ପରେ ୪ର୍ଥ ଦିନ ଠକେଇର ଶିକାର ହୋଇଥିବା ଜାଣିପାରି ବୃଦ୍ଧାଜଣକ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ବର୍ତ୍ତମାନ ଅଭିଯୋଗ ଅନୁସାରେ ପୋଲିସ ଯାଞ୍ଚ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି |