Pratidin TV

Odisha's Digital News Platform

ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’, ଆଜିଠୁ ପ୍ରବଳ ବର୍ଷା, ରାତିରେ ରଚିବ ତାଣ୍ଡବ ଲୀଳା

1 min read

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା (ଦାନା) ଓଡ଼ିଶାକୁ ମାଡ଼ି ଆସୁଛି। ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ର ରୂପ ନେଇ କେନ୍ଦ୍ରାପଡ଼ା ଜିଲାର ଭିତରକନିକାଠାରୁ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ୨୪ ତାରିଖ ସନ୍ଧ୍ୟାରୁ ୨୫ ତାରିଖ ସକାଳ ମଧ୍ୟରେ ‘ଦାନା’ ଲ୍ୟାଣ୍ଡଫଲ୍‌ କରିବାକୁ ଥିବାବେଳେ ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ୩ ଜିଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ସ୍ପଷ୍ଟ କରିଛି। ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବାବେଳେ ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି।

ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ ।

Advertisement

ତେବେ ଫନି ଠାରୁ ଏହାର ପ୍ରକୋପ କମ ରହିବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ୟସ୍ ଭଳି ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ଦାନା ଦ୍ଵାରା କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ବିଶେଷ ଭାବରେ ପ୍ରଭାବିତ ହେବ । ଜଗତସିଂହପୁର ଆଂଶିକ ଭାବେ ପ୍ରଭାବିତ ହେବ ବୋଲି କହିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ସମୟରେ୨ ମିଟର ଉଚ୍ଚର ଲୁଣା ପାଣି ମାଡି ଆସିପାରେ । ସେହିପରି ୨୦ରୁ ୩୦ ସେମି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗଞ୍ଜାମ ଜିଲାର କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ବାତ୍ୟା ସ୍ଥଳଭାଗ ଅତିିକ୍ରମ କରିବା ବେଳେ ବଡ଼ ବଡ଼ ଢେଉ ଉଠିବା ସହ ସମୁଦ୍ର ଅଶାନ୍ତ ରହିବ। ଚାଳଘର, ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିପାରେ। ଧାନ, ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *