Pratidin TV

Odisha's Digital News Platform

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ରେମାଲ ? ସୂଚନା ଦେଲା ପାଣିପାଗ ବିଭାଗ ..

1 min read

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୁପ ନେଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟା ଅବପାତର ରୂପ ନେବ । ଏହାସହ ୨୬ରେ ଏହା ଭୀଷଣ ବାତ୍ୟାର ରୂପ ନେବ ।  ସବୁଠୁ ବଡ଼ କଥା ହେଉଛି, ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ବା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ତାହା ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରୁଛି । ଅବପାତ ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି ।

ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ଏହି ସମ୍ଭାବ୍ୟ ବାତ୍ୟାର ନାଁ ‘ରେମଲ’ ରଖାଯାଇଛି ।କାଲି ସନ୍ଧ୍ୟା ସୁଦ୍ଧା ଏହା ଏକ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟରାତ୍ରିରେ ଲାଣ୍ଡଫଲ୍ କରିବ ବାତ୍ୟା।

ବାଂଲାଦେଶ ଓ ତତସଲଗ୍ନ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସାଗର ଦ୍ୱିପ ଓ ଖେପୁପରା ମଝିରେ ସ୍ଥଳଭାଗ ଛୁଇଁବ । ବାତ୍ୟାଟି ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରୁଥିବାର ଏହାର ପ୍ରଭାବ ସିଧାସଳଖ ଓଡିଶା ଉପରେ ରହିବ ନାହିଁ  । ତେବେ ଆଜିଠୁ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବା ସହ ପାଗ ସାମନ୍ୟ କୋହଲା ରହିବ । ୨୫ ଓ ୨୬ ତାରିଖ ଦୁଇ ଦିନ ଉତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।  ଏହାରି ପ୍ରଭାବରେ ମୁଖ୍ୟତଃ ଉତ୍ତର ଉପକୂଳ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର,କଟକ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀର ଅଧିକାଂଶ ଅଞ୍ଚଳରେ ସାମନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *