Pratidin TV

Odisha's Digital News Platform

ମୃତ୍ୟୁ ଦେଖାଇଲା ଜୀବନର ସତ ; ଆସିଲେନି ପରିବାରର କେହି ଶେଷରେ ସ୍ଵାମୀକୁ ମୁଖାଗ୍ନି ଦେଲେ ସ୍ତ୍ରୀ ।

କଟକ : ମୃତ୍ୟୁ ପରେ ପର କରିଦେଲା ପରିବାର କିନ୍ତୁ ଯେଉଁ ପର ଝିଅକୁ ବାହା ହୋଇ ଘରକୁ ଆଣିଥିଲା ଆଜି ସେଇ ସାଜିଲା ଜୀବନର ଶେଷ ଯାତ୍ରାର ସାଥି । ସ୍ବାମୀ ଙ୍କ ଦେହାନ୍ତ ପରେ ସ୍ଵାମୀ କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ସବୁ ସଂପର୍କୀୟ ମାନେ ଥାଇ ମଧ୍ୟ ମଧ୍ୟ ସମସ୍ତେ ସମ୍ପତ୍ତି ଲୋଭରେ ପର କରିଦେଲେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ୱର୍ଗଧାମ ମହା ଶ୍ମଶାନ ରେ । ସମ୍ପତ୍ତି ପାଇଁ ଶ୍ମଶାନ ରେ ମଧ୍ୟ ପରିବାର ଲୋକେ ଝଗଡ଼ା କରୁଥିବା ଅଭିଯୋଗ କରନ୍ତି ମୃତକଙ୍କ ସ୍ତ୍ରୀ । କଥାରେ ଅଛି ଯେତେ ବଡ ଶତ୍ରୁ ହୋଇଥାଉ ନା କାହିଁକି ଅସମୟ ବେଳେ ଠିଆ ହେବା ହିଁ ମଣିଷ ପଣିଆ । ହେଲେ ଆଜିର ମଣିଷ ଏହାର ସଂପୂର୍ଣ୍ଣ ବିପରୀତ ଦିଗରେ ଗତି କରିବାରେ ଲାଗିଛି ।

ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସ୍ୱର୍ଗଧାମ୍ ମହା ଶ୍ମଶାନରେ । କଟକ ମାଛୁଆ ବଜାର ଅଞ୍ଚଳର ୬୬ ବର୍ଷୀୟ କିଶୋର କୁମାର ଭଗତ ଓ ତାଙ୍କ ପତ୍ନୀ ୫୭ ବର୍ଷୀୟ ସୁନୀତା ରାଣୀ ଭଗତ ପୂର୍ବରୁ ନିଃସନ୍ତାନ । ସମ୍ପତ୍ତି ପାଇଁ କିଶୋର ତାଙ୍କର ଭାଇ ମାନଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗୁଥିବା ବେଳେ ସେ ଅନ୍ୟତ୍ର ଆସି ପତ୍ନୀ ଙ୍କ ସହ ରହନ୍ତି । କିଶୋର ଜଣେ ବ୍ୟବସାୟୀ ଓ ତାଙ୍କର ପତ୍ନୀ ଜଣେ ଅଧ୍ୟାପିକା । ହେଲେ ଶାରୀରିକ ଅସୁସ୍ଥତା କାରଣରୁ ସେ କିଛି ଦିନ ତଳେ କିଶୋର ମେଡିକାଲ୍ ରେ ଭର୍ତ୍ତି ହୋଇଥିଲ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

ଆଜି ତାଙ୍କର ଦେହାନ୍ତ ହୋଇଯାଇଥିଲା। ଅନ୍ତିମ ସଂସ୍କାର ପାଇଁ କଟକ ଖାନ ନଗର ସ୍ୱର୍ଗଧାମ ମହା ଶ୍ମଶାନରେ ଅନ୍ତିମ ସଂସ୍କାର କରିବା ପାଇଁ ଅଣାଯାଇଥିଲା । ଏହି ସମୟରେ ମୃତକ କିଶୋର ଙ୍କ ପରିବାର ଲୋକେ ଆସି ଝଗଡ଼ା କରିଥିଲେ । ଏମିତିକି ତାଙ୍କର କୌଣସି ସଂପର୍କୀୟ ଅନ୍ତିମ ସଂସ୍କାର କରାଇ ଦେବାକୁ ମନା କରିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ମହିଳା ହୋଇ ମଧ୍ୟ ସ୍ବାମୀଙ୍କୁ ମୁଖାଗ୍ନୀ ଦେଲେ ସ୍ତ୍ରୀ ସୁନିତା । ପରିବାର ଲୋକେ ସାମାନ୍ୟ ସ୍ବାର୍ଥ ପାଇଁ ମଣିଷ ପଣିଆ ର ଧର୍ମ ଭୁଲିଗଲେ ହେଲେ ପତ୍ନୀ ସ୍ବାମୀ ପ୍ରତି ଥିବା ତାଙ୍କର ଧର୍ମ ଓ କର୍ତ୍ତବ୍ୟ କୁ ଭୁଲି ନଥିଲେ ।

Leave a Reply

Your email address will not be published. Required fields are marked *