ଗର୍ଭବତୀଙ୍କୁ ନିର୍ଯାତନା ଘଟଣା: ବିଦାହେଲେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ…
1 min readଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ। ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍ରୁ ଅପସାରଣ କରାଗଲା । ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଆଣିଥିବା ଅଭିଯୋଗର ତଦନ୍ତ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ମାମଲାର ତଦନ୍ତ ନିମନ୍ତେ ଏକ ୩ ଜଣିଆ ତଦନ୍ତକାରୀ ଟିମ୍ ଗଠନ ହୋଇଛି। ଏହି ଟିମ୍ ଆଜି ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତିନି ଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଥିବା ବେଳେ ସିଡିପିଓ ସ୍ନେହଲତା ସାହୁଙ୍କୁ ବଦଳି କରାଯାଇଛି। ତାଙ୍କୁ ଢେଙ୍କାନାଳ ପିଓ ଭାବେ ବଦଳି କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ପୂର୍ବରୁ ଆଜି ତାଙ୍କୁ ଡେରାବିଶ ବ୍ଳକ ଅଫିସରୁ ଅପସାରଣ କରାଯାଇଥିଲା।
ଏହି ଘଟଣା ତଦନ୍ତ କରୁଥିବା ତିନି ଜଣିଆ ଟିମ୍ ଆଜି ଡେରାବିଶ ଯାଇ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହିପରି କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡ଼ିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଠିକ ସମୟରେ ମେଡିକାଲ ଯାଇ ନପାରିବାରୁ ବର୍ଷାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିଲା। ଆଉ ଏଥିପାଇଁ ସ୍ନେହଲ୍ ସାହୁ ଦାୟୀ ବୋଲି କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହଲତା ସାହୁ।