Pratidin TV

Odisha's Digital News Platform

ହେଇଟି , ଆଜି ଦିଅଁ ଦରଶନ ମିଳିବ ତ !

ପୁରୀ : ଆମ ପ୍ରତିଦିନ ଟିଭି ତରଫରୁ ସବୁ ଓଡିଆବାସୀଙ୍କୁ ପବିତ୍ର ବାହୁଡା ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ । ଆଜି ଆମେ ପ୍ରତିଦିନର ଏହି ସ୍ପେସାଲ ଷ୍ଟୋରୀ ମାଧ୍ୟମରେ ଭକ୍ତ ଓ ଭଗବାନଙ୍କ ମିଳିନର ପ୍ରତୀକ୍ଷା ମୁହୁର୍ତ୍ତ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଆମ ରିପୋର୍ଟର ଭାଇ ନିଜ ଆଖିରେ ପ୍ରତ୍ୟକ୍ଷ ଅନୁଭବ କରିଥିଲେ । କେମିତି କେଜାଣି, ପୁରୀରେ ହଜାର ହଜାର ଭକ୍ତ ଗହଳିରେ ଆମ ପ୍ରତିଦିନ ରିପୋର୍ଟର ଭାଇଙ୍କ ନଜରରେ ପଡ଼ିଗଲେ ବୁଢା ମଉସା ମାଉସୀ ଦୁହେଁ । ତାଙ୍କ ବେଡ଼ିଙ୍ଗ ପତ୍ର ଦେଖି ଲାଗୁଥାଏ ବାହୁଡ଼ା ଯାତ୍ରା ଦେଖିବା ପାଇଁ ହିଁ ଆସିଛନ୍ତି । ମାଉସୀ ମଉସାଙ୍କୁ କୋହ ଭରା କଣ୍ଠରେ ପଚାରୁଥାନ୍ତି ହଇଓ ଆଜି ଦିଅଁ ଦରଶନ ହବ ଟି..? ଏଠିତ ଏତେ ଭିଡ …..
ମଉସା କହୁଥାନ୍ତି ..
ସେ ତ ଭକତ ଭାବରେ ବନ୍ଧା । କେମିତି ଆସିବନି ଯେ..?? ଭକତ ଆଖିରୁ ଲୁହ ଝରିପଡ଼ିଲେ, ଦୁଃଖରେ ଛାତିରୁ ଲହୁ ଝରିଯାଏ ତା’ର.. କେମିତି ଦରଶନ ଦବନି । ପତିତପାବନ ପରା,କୋଟି ଓଡ଼ିଆଙ୍କ ମଉଡ଼ମଣୀ ସିଏ ,
ବଡ଼ ଠାକୁର..
କଳିଆ ସାଆନ୍ତ….

ରାଜା ହେଉ କି ରହିମ୍ । ଇରଫାନ୍ ହଉ କି ଷ୍ଟିଫେନ୍ କେହି ଯଦି ତା ଦାଣ୍ଡ ଦୁଆରକୁ ଯାଇ ନ ପାରିଲା । ସେ ପରା ନିଜେ ରତ୍ନବେଦୀ ଛାଡ଼ି ଦେଇ ,ଷାଠିଏ ପଉଟି ଏଡ଼େଇ ଦେଇ.. ବଡ଼ ଦାଣ୍ଡକୁ ଓହ୍ଲେଇ ଆସେ । କୋଉ ରାଇଜରେ ଦେଖିଛ ଏମିତି ଠାକୁର..?? ମଉସା ପୁଣି କହିଲେ ଆହା, କି ଲୀଳା ମୋ କାଳିଆ ସାଆନ୍ତଙ୍କର । କି ଅଲୌକିକ ପରିବେଶ , ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ମିଳନ.. ପବିତ୍ର ଗୁଣ୍ଡିଚା ତିଥିର ରଥଯାତ୍ରା । ସେଥିପାଇଁ ପରା କହନ୍ତି….
ତିଥି ମଧ୍ୟେ ଅତି ଶ୍ରେଷ୍ଠ ଗୁଣ୍ଡିଚା ଉତ୍ସବ..
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ଅଟେ ସେ ଦୁର୍ଲଭ..

୯ ଦିନର ମାନବୀୟ ଲୀଳା ସାରି ତିନି ଠାକୁର ଆଜି ଘରକୁ ଫେରିଯିବେ । କେଡ଼େ ସୁନ୍ଦର ସମାବେଶ ରଥରେ ବସିଥିବେ ଚତୁର୍ଦ୍ଧା ମୂରତି । ବାହୁଡ଼ିବେ ଆଜି ଶ୍ରୀମନ୍ଦିର । ପୁଣି ଭାଇ ଭଉଣୀଙ୍କ ଉପସ୍ଥିତିରେ ପୁରି ଉଠିବ ଶ୍ରୀମନ୍ଦିର , କାହିଂ ୯ ଦିନ ହେବ ପଡିଯାଇଥିବା ଶୂନ ନଥିଲେ ମହାମଣୀ ନଥିଲେ ମହାବାହୁ ଭାଇ ଭଉଣୀଙ୍କୁ ଧରି ଚାଲିଯାଇଥିଲେ ମାଉସୀ ମା ଘରକୁ ।
ମଉସାଙ୍କ କଥା ସରୁନଥାଏ ମାଉସୀ ଚାହିଁ ରହିଥାନ୍ତି ମଉସାଙ୍କ ଲୁହ ଭରା ଛଳଛଳ ଆଖିକୁ । ମଉସା ଦୂରକୁ ଚାହିଁ କହିଲେ
ମଣିମା , ସେ ଦୟଣାର କି ଭାଗ୍ୟ । ଯିଏ ତମ ପାଖରେ ଲାଗି ହଉଛି । ସେ ରଥ କାଠ କି ପୁଣ୍ୟ କରିଥିଲା କେଜାଣି ? ତମ ପାଦ ପଦ୍ମ ତଳେ ଆଶ୍ରୟ ନେଇଛି । କି ନ ଦେଖିବ ଆଜି ଏ ନୟନ.. ହରିବୋଲ ନାଦରେ ପ୍ରକମ୍ପିତ ହେବ ଚାରି ଭୁବନ । ମଉସା ସେମତି କହୁଥାନ୍ତି ସାଆନ୍ତେ.. ଆମକୁ ଟିକେ ଦରଶନ ଦବ ମୋ ବୁଢୀଟା ଭାରି ମନ କରିଛି ତମକୁ ଟିକେ ଦେଖିବ । ତାକୁ ନିରାଶ କରିବନି ! କାହିଁ କେତେ ଦୂରୁ ଆମେ ଆସିଛୁ । ଆମର ଧନମାନ କିଛି ଲୋଡ଼ା ନାହିଁ ଏଇ ଜୀବନ ଟିକକ ତମ ଚରଣ ତଳେ ଚାଲିଗଲେ ବି ଦୁଃଖ ନାହିଁ ।

ମଉସା କୋହଭରା କଣ୍ଠରେ କହୁଥାନ୍ତି କଥା ରଖିବ ମଣିମା..
ଦରଶନ ଦବ ପ୍ରଭୁ.. ଦରଶନ ଦବ…..
ତେବେ ଏମିତି କିଛି ଦୃଶ୍ୟ ଆଜି ଆମ ରିପୋର୍ଟରଭାଇଙ୍କ ଆଖିରେ ପଡିଥିଲା । କାହିଁ କେତେ ଦୂରୁ ବୁଢା ବୁଢୀ ଦୁଇଟା ଚାଲିଆସିଛନ୍ତି ସେଇ ଚକା ନୟନକୁ ଥରେ ମନଭରି ଦେଖିବେ । ବୟସର ଅପରାହ୍ଣରେ ପହଞ୍ଚିଲେଣିତ କେତେବେଳେ କେଉଁକଥା । ବୁଢା ମଉସା ମନରେ ଅଗାଢ ବିଶ୍ୱାସ ଯେତେ ଭିଡ ଯାହା ହେଉ ପଛେ ଆଜି ତା ବୁଢୀକୁ ଜଗା ଦରଶନ କରେଇବ ତେବେ ଦେଖାଯାଉ ମହାବାହୁଙ୍କୁ ତ ସବୁ ଜଣା ସେ ସର୍ବବ୍ୟାପୀ ମାୟାଧର .. ଏହି ଦୁଇ ଭକତଙ୍କୁ ଦରଶନ ଦେବା ଏବେ ତାଙ୍କରି ହାତରେ ।

Leave a Reply

Your email address will not be published. Required fields are marked *