Pratidin TV

Odisha's Digital News Platform

ଧବଳେଶ୍ୱରକୁ ବନ୍ଧ ହେଲା ଝୁଲ୍ଲାପୋଲ , ଏଣିକି ଡଙ୍ଗାରେ ଯାଇ ଶ୍ରଦ୍ଧାଳୁମାନେ କରିବେ ଦର୍ଶନ

କଟକ : ନିକଟରେ ଗୁଜୁରାଟର ଝୁଲ୍ଲା ପୋଲ ଦୁର୍ଘଟଣା ପରେ ହଠାତ୍ ଆଠଗଡ କତ୍ତୃପକ୍ଷ ତତ୍ପରତା ଦେଖାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଝୁଲ୍ଲା ପୋଲର ଯାଞ୍ଚ । ଏନେଇ ନିକଟରେ ପଞ୍ଚକରେ ମଧ୍ୟ ଠାକୁରଙ୍କ ଦର୍ଶନକୁ ବନ୍ଧ କରାଯାଇଥିଲା । ଏହାପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଝୁଲ୍ଲା ପୋଲଟିକୁ ବନ୍ଧ କରାଯାଇଛି । କିନ୍ତୁ ଶ୍ରଦ୍ଧାଳୁମାନେ ଆଉ ଏକ ଉପାୟରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏନେଇ ଆଜି ପ୍ରଶାସନିକ ସୂଚନା ମିଳିଛି।

ସୂଚନା ଅନୁ୍‌ଯାୟୀ ସର୍ବସାଧାରନ ଭକ୍ତମାନେ ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ନଦୀ ପାରି ହୋଇ ଠାକୁର ଦର୍ଶନ ପାଇଁ ଯାଇପାରିବେ। ଧବଳେଶ୍ଵର ପୀଠରେ ପୂଜକ ସମିତି ସହ ପ୍ରଶାସନର ଆଲୋଚନା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ।

ଉପଜିଲ୍ଲାପାଳ କହିଛନ୍ତି, ପୀଠ ଖୋଲା ଅଛି। ହେଲେ ସାଧାରଣ ଭକ୍ତ କିପରି ପୀଠରେ ପହଞ୍ଚି ଠାକୁର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କ ପୀଠରେ ପହଞ୍ଚିବାର ଏକମାତ୍ର ବିକଳ୍ପ ଡଙ୍ଗା। ତେଣୁ ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ। ଆସନ୍ତା ମଙ୍ଗଳବାର ଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଗହଳି ଦିନମାନଙ୍କରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ। ଡଙ୍ଗା ଜରିଆରେ କେତେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଛନ୍ତି ଓ କେତେ ଗହଳି ଜମୁଛି, ତାହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଡଙ୍ଗାରେ ଲାଇଫ୍ ଜ୍ୟାକେଟ, ଯାତ୍ରୀ ସଂଖ୍ୟା ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଝୁଲା ପୋଲ ମରାମତି ନ ସରିବା ପର‌୍ୟ୍ୟନ୍ତ ଯାତ୍ରୀ ଏହା ଉପରେ ଯିବା ସୁରକ୍ଷିତ ନୁହେଁ। ତେଣୁ ଝୁଲା ପୋଲ ଉପରେ ଯାତାୟତକୁ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *