ଓଡିଶୀ ସଙ୍ଗୀତ ଓ ଓଡିଶୀ ନୃତ୍ୟ ମଧ୍ୟରେ ପାର୍ଥକ୍ୟ ଜାଣିନାହାନ୍ତି କି ଧର୍ମେନ୍ଦ୍ର ; ଡ. ଲେନିନ୍ ମହାନ୍ତି
1 min readମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେବାପରେ ଓଡିଶା ବିଜେପି ଏବେ ଚିନ୍ତାରେ । କାରଣ ଓଡିଶା ପ୍ରତି କେନ୍ଦ୍ର କରୁଥିବା ପ୍ରତାରଣାର କାହାଣୀ ଲୋକଙ୍କ ଆଗରେ ରଖିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନବାଣରୁ ବର୍ତ୍ତିବାକୁ ପୁଣି ମିଛକଥା ର ସାହାରା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପୂର୍ବାହ୍ନରେ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି କହିଥିବା ମିଛ ଉପରୁ ପରଦା ହଟାଇଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ଏହା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରଶ୍ନବାଣରେ ଘେରି ଘାଇଲା କରିଛନ୍ତି ।
ଓଡିଶାର ପରିଚୟ ଓଡିଶୀ ସଙ୍ଗୀତ ଓ ଓଡିଶୀ ନୃତ୍ୟ । ଏଥିପାଇଁ ଓଡିଶା ବିଶ୍ୱ ଦରବାରରେ ପ୍ରଶଂସିତ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଦୀର୍ଘ ବର୍ଷରୁ ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ପ୍ରୟାସ ନକରି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ନୁହେଁ ବା ବିଦ୍ଧିସମ୍ମତ ନୁହେଁ ବୋଲି କହିବା ଅତ୍ୟନ୍ତ ଲଜ୍ଜାଜନକ କଥା । ଏକଥା କହି ସେ ଓଡ଼ିଶୀ ସଙ୍ଗୀତଜ୍ଞ ମାନଙ୍କୁ ଅପମାନ କରିଛନ୍ତି । ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରୁଥିବା ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇବା ପାଇଁ କଣ ପ୍ରୟାସ କରିଛନ୍ତି ତାହା କହନ୍ତୁ ବୋଲି ପଚାରିଛନ୍ତି ଡ. ଲେନିନ୍ ମହାନ୍ତି । ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ୩୦ କୋଟି ଟଙ୍କା ଦିଆଯାଇଛି । କାହାକୁ ଦିଆଯାଇଛି ? ସେ ଯେଉଁ ୩୦ କୋଟି ଟଙ୍କା କହୁଛନ୍ତି ତାହା ୩୦ କୋଟି ନା ୩ କୋଟି ? ପୁଣି ସେହି ୩ କୋଟି ଟଙ୍କା ବି ଆସିଛି ତ! ନିଜକୁ ବଞ୍ଚାଇବାକୁ ୩୦ କୋଟି ଟଙ୍କା ଦିଆଯାଇଛି ବୋଲି ମିଛ କହିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭାପାଉନାହିଁ । କେନ୍ଦ୍ରମନ୍ତ୍ରୀ ତୁରନ୍ତ ଜଣାନ୍ତୁ ୩୦ କୋଟି ଟଙ୍କା କେଉଁ ବିଭାଗକୁ ଦିଆଯାଇଛି ବୋଲି ଡ. ଲେନିନ୍ ମହାନ୍ତି ପଚାରିଥିଲେ । ସେ ଆହୁରି କହିଥିଲେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଭିତରେ ପାର୍ଥକ୍ୟ କଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୋଧେ ଜଣାନାହିଁ ।
ଓଡ଼ିଶୀ ନୃତ୍ୟକୁ ବହୁବର୍ଷ ଆଗରୁ ଶାସ୍ତ୍ରୀୟତା ପ୍ରଦାନ କରାଯାଇଛି । କିନ୍ତୁ ଓଡିଶୀ ସଙ୍ଗୀତକୁ କାହିଁକି ଦିଆଯାଇନାହିଁ ତାହା ଉଲ୍ଲେଖ କଲେନାହିଁ କାହିଁକି? ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ ଓଡିଶୀ ସଙ୍ଗୀତକୁ ମାନ୍ୟତା ଦେବା ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ । କିନ୍ତୁ କଣ ପାଇଁ ବିଧି ବ୍ୟବସ୍ଥା କରାଯାଇନାହିଁ କିମ୍ବା ଧର୍ମେନ୍ଦ୍ର ପ୍ରଧାନ ବିଧି ବ୍ୟବସ୍ଥା ପାଇଁ କେବେ କିଛି ପ୍ରୟାସ କରିଛନ୍ତି କି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଯଦି ସଙ୍ଗୀତର ବିକାଶ ପାଇଁ କିଛି ବିଧି ବ୍ୟବସ୍ଥା ନାହିଁ ତେବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର କାମ କଣ ? ଯେହେତୁ ନାଚ ଶାସ୍ତ୍ରୀୟ, ତେବେ ସଙ୍ଗୀତ ବି ଶାସ୍ତ୍ରୀୟ । ଏହା କେମିତି ସମ୍ଭବ? କେଉଁ ରିସର୍ଚ୍ଚ ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ଏଭଳି କଥା କହିଲେ ତାହା ସ୍ପଷ୍ଟ କରିବାକୁ ନିବଦନ କରିଛନ୍ତି । ଏଥିରୁ ଜଣାପଡୁଛି ଓଡିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଆ ଭାଷା ପ୍ରତି କେତେ ଦରଦ ଓ କଣ ଅବଦାନ ରହିଛି । ଅବଦାନ ରହିବ ବା କେମିତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ପ୍ରେମରେ ପଡିଥିବା ନେତା ଓଡିଆ ଲୋକଙ୍କୁ କେମିତି ଭଲପାଇବେ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରାକରଙ୍କ ଅସଲ ମୁଖା ଖୋଲିବା ପରେ ଏବେ ନିଜକୁ କେମିତି ବଞ୍ଚାଇବେ ସେ ଚିନ୍ତାରେ ଘାରି ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ ନିଜକୁ ବଞ୍ଚାଇବାକୁ କୁହାମୁଣ୍ଡା କପିଳା ଭଳି ହେଉଛନ୍ତି । କଥାକଥା ରେ ମିଛ କହିବାରେ ଅଭ୍ୟସ୍ତ ଥିବା ବିଜେପି ନେତା କିଛି କହିବା ପୂର୍ବରୁ ଥରେ ଚିନ୍ତା କରିବା କଥା ଯେ ଜନତା ତାଙ୍କ ଉପରେ ଆଉ ଭରସା କରୁନାହାନ୍ତି ବୋଲି ଡ. ଲେନିନ୍ ମହାନ୍ତି କହିଛନ୍ତି ।