Pratidin TV

Odisha's Digital News Platform

ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ମୁଁ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ- ଧର୍ମେନ୍ଦ୍ର ପ୍ରଧାନ

1 min read

ଦୀର୍ଘ ୨୫ ବର୍ଷର ସରକାରରେ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଏକ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଏହି ସବୁ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କଲେ ବିଜେଡି ନେତା ଓ ଗୁମାସ୍ତା ରାଜମିସ୍ତ୍ରୀ ବୋଲି ଆକ୍ଷେପ କରୁଛନ୍ତି । ଏକବିଂଶ ଶତାବ୍ଦୀରେ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୁଁ ଓ ଆମ ଦଳ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠମଲ୍ଲିକ ବଇଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୨୫ ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ । ଦୂଷିତ ପାଣି ପିଇବା କାରଣରୁ ହଇଜା ହେଉଛି । ଜଳସେଚନର ଘୋର ଅଭାବ। ରାଜ୍ୟ ସରକାରଙ୍କ ଶୀତଳଭଣ୍ଡାର କେବଳ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ସ୍ୱାସ୍ଥ୍ୟସେବା ବି ସମାନ ଅବସ୍ଥା । ବଇଁଣ୍ଡା, ଠାକୁରମୁଣ୍ଡା ଏବଂ ଆଠମଲ୍ଲିକରେ ଆବଶ୍ୟକ ଅନୁସାରେ ଡାକ୍ତର ନାହାନ୍ତି । ରୋଜଗାର ନାହିଁ । ଦୀର୍ଘ ୨୫ ବର୍ଷ ଶାସନରେ ହିଞ୍ଜିଳିରୁ ଲୋକ ଗୁଜୁରାଟକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିବାର ଅଣ ଓଡ଼ିଆ ଗୁମାସ୍ତା ଅଭିଯୋଗ କରୁଛନ୍ତି । ରାଜମିସ୍ତ୍ରୀର ଆଖ୍ୟା ଦେଉଛନ୍ତି । ରାଜମିସ୍ତ୍ରୀ ଘର ବନାନ୍ତି । ଆଠମଲ୍ଲିକର ବିକାଶ ଓ ଅଞ୍ଚଳର ସମ୍ପନ୍ନତା ଏବଂ ଗରିବଙ୍କ ସମ୍ମାନ ବୃଦ୍ଧି ପାଇଁ ମୁଁ ରାଜମିସ୍ତ୍ରୀ ହେବାକୁ ପ୍ରସ୍ତୁତ ଅଛି ।

Advertisement

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ଶାସକ ଦଳ ଯେତେ ଗାଳି ଦେଲେ ବି ମୁଁ ମୁଣ୍ଡ ନୂଆଁଇବି ନାହିଁ । ରାଜ୍ୟର ଗରିବ, ବଞ୍ଚିତ, ଅସହାୟଙ୍କ କଥା କହିବା ପାଇଁ କୌଣସି ବୁଝାମଣା ହେବ ନାହିଁ । ଆଜି ଆଠମଲ୍ଲିକରେ ପରିବର୍ତ୍ତନର ଲହରି ଦେଖାଯାଇଛି । ବିଜେପି ପ୍ରତି ମାତୃଶକ୍ତି ଓ ଯୁବସାଥୀଙ୍କ ସମର୍ଥନ ଉତ୍ସାହପୂର୍ଣ୍ଣ ରହିଛି । ପକ୍କା ଘର ସହ ସବୁ ସୁବିଧା, ବ୍ୟବସାୟ, ରୋଜଗାର ଏବଂ ଲୋକଙ୍କୁ ଆତ୍ମନିର୍ଭର କରିବା ମୋଦୀ ସରକାରଙ୍କ ଯୋଜନାରେ ରହିଛି । ଏଥିପାଇଁ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଆସନ୍ତା ୨୫ ତାରିଖରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ ଦେବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନେକ ସମର୍ଥକଙ୍କୁ ବିଜେପିରେ ସ୍ୱାଗତ କରିଥିଲେ । ସଭା ପୂର୍ବରୁ ଶ୍ରୀ ପ୍ରଧାନ ହଣ୍ଡପା ପଞ୍ଚାୟତରେ ଆୟୋଜିତ ପଦଯାତ୍ରା ଓ ରୋଡ ସୋ’ରେ ହୋଇ ଜନସାଧାରଣଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *