Pratidin TV

Odisha's Digital News Platform

ଯୋରନ୍ଦାରେ ଆରମ୍ଭ ହେବାକୁ ଯାଉଛି ମାଘମେଳା…ସଜେଇ ହେଉଛି ମହିମାପୀଠ, ପ୍ରସ୍ତୁତି ଚାଲିଛି ଜୋରଦାର…

ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୨୨ ତାରିଖରୁ ଅନୁଷ୍ଠିତ ହେଇଛି । ବିଭିନ୍ନ ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଅଂଚଳରୁ ମହିମା ସାଧୁ ସନ୍ୟାସୀ ଓ ଭକ୍ତଙ୍କ ଆଗମନରେ ଯୋରନ୍ଦା ଉତ୍ସବ ମୁଖର ହୋଇଛି । ମାଘମେଳା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଚଳିତବର୍ଷ ମାଘ ମେଳାରେ ବ୍ୟାପକ ଜନ ସମାଗମ ହେବାର ଆଶଙ୍କା କରାଯାଉଛି । ଆସନ୍ତା ୨୨, ୨୩ ଓ ୨୪ ତିନିଦିନ ଧରି ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ୨୨ ଓ ୨୩ ତାରିଖ ଦୁଇଦିନ ଧରି ବିଶ୍ୱ କଲ୍ୟାଣ ପାଇଁ ଘୃତାହୂତୀ କରାଯାଇ ଝାଡଦୀପ ପ୍ରଜ୍ୱଳନ ହେବ । ଏଥିପାଇଁ ଉଠା ଦୋକାନୀମାନେ ଯୋରନ୍ଦାରେ ପହଞ୍ଚି ନିଜ ନିଜର ଦୋକାନ ଲଗାଇବା ଆରମ୍ଭ କଲେଣି । ବିଶ୍ୱ ପ୍ରସିଦ୍ଧ ମାଘମେଳାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଦେଖି ପରମ୍ପରା ଓ ଭାଇଚାରା ମଧ୍ୟରେ ମେଳା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଶାନ୍ତିଶୃଙ୍ଖଳାରେ ମେଳା ପରିଚଳନା ପାଇଁ ପ୍ରଶାସନ ଆବାହକତ୍ୱରେ ଦୁଇଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଉପଜିଲାପାଳ ସନପ କୁମାର ନନ୍ଦଙ୍କ ସମେତ ଅତିରିକ୍ତ ଏସପି ସୂର୍ଯ୍ୟମଣୀ ପ୍ରଧାନ, ସଦର ଏସ୍ଡିପିଓ ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଯୋରନ୍ଦାଠାରେ ପହଁଚି ମେଳାର ସୁପରିଚାଳନା ପାଇଁ ଅନୁଧ୍ୟାନ କରିବା ସହିତ ଆଲୋଚନା ମଧ୍ୟ କରିଥିଲେ ।

ଚଳିତବର୍ଷ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା । ଟ୍ରାଫିକ ନିୟନ୍ତ୍ରଣ, ଯାନବାହାନ ଚଳାଚଳ, ଯାତ୍ରୀଙ୍କ ଠାରୁ ଅଧିକ ଭଡା ଆଦାୟ ନକରିବା, ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା, ପାନିୟଜଳ ଯୋଗାଣ ଓ ଆଶୁ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ଆଲୋକି କରଣ, ସାନିଟାଇଜେସନ କରିବା ଆଦି ପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ମେଳାକୁ ଉପଭୋଗ କରିପାରିବେ ସେଥିପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପ୍ରସ୍ତୁତି ଚାଲିଛି। ସେହିପରି ଚଳିତବର୍ଷ ପ୍ରଥମ କରି ଉପଖଣ୍ଡସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଛି । ଯେଉଁଥିରେ ପ୍ରାୟ ୫୦ଟି ଷ୍ଟଲ ପଡ଼ିବାକୁ ଯାଉଛି। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଜୋର ଧରିଛି ବୋଲି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସୂଚନା ଦେଇଛନ୍ତି । ଚଳିତବର୍ଷ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ ପ୍ଲାଟୁନ ପୋଲିସ ନିୟୋଜନ ପାଇଁ ଆଲୋଚନା ସରିଛି ବୋଲି ଅତିରିକ୍ତ ଏସପି ସୂର୍ଯ୍ୟମଣୀ ପ୍ରଧାନଙ୍କ ସୂଚନାରୁ ଜଣାପଡିଛି । ମେଳା ସମ୍ପର୍କରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କୁହନ୍ତି ଯେ, ଶାନ୍ତିଶୃଙ୍ଖଳାର ସହ ପ୍ରସିଦ୍ଧ ମାଘମେଳାର ସୁପରିଚାଳନା ପାଇଁ ଆମର ଦୁଇଥର ପ୍ରସ୍ତୁତି ବୈଠକ ସରିଛି । ଚଳିତବର୍ଷ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଛି । ଶାନ୍ତିଶୃଙ୍ଖଳାର ସହ ମେଳା ଅନୁଷ୍ଠିତ ହେବ ବୋଲି ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ ।

ଏ ସଂକ୍ରାନ୍ତରେ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ବରିଷ୍ଠ ସନ୍ୟାସୀ ବାବା ନିତ୍ୟାନନ୍ଦ ଦାସ କୁହନ୍ତି, ଚଳିତବର୍ଷ ୧୫୧ତମ ମାଘମେଳା ଅନୁଷ୍ଠିତ ହେଉଛି । କୋଭିଡ ପାଇଁ ମାଘମେଳାର ୧୫୦ବର୍ଷ ପୂର୍ତି ଉତ୍ସବ ପାଳନ ହୋଇପାରିଲା ନାହିଁ । ଚଳିତବର୍ଷ ମେଳା ଭଲରେ ହେବ । ମହିମାଗାଦୀର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବା ସହିତ ଧନ୍ୟବାଦ ଦେଇଛୁ । ଏ ସଂକ୍ରାନ୍ତରେ କୌପୀନଧାରୀ ମହିମା ସମାଜର ସମ୍ପାଦକ ବାବା ସୁଶାନ୍ତ ଦାସ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ମାଘମେଳା ପାଇଁ ପ୍ରଶାସନ ସହଯୋଗରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ଆସନ୍ତା ୨୨ ଓ ୨୩ ଦୁଇଦିନ ଧରି ବିଶ୍ୱ କଲ୍ୟାଣ ପାଇଁ ଝାଡଦୀପ ପ୍ରଜ୍ୱଳନ ହେବ । ଏଥିପାଇଁ ଓଡିଶାର ବିଭିନ୍ନ ଅଂଚଳ ସମେତ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗ, ବିହାର ଓ ଆସାମରୁ ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନଙ୍କର ଆଗମନ ହେଲାଣି ।

Leave a Reply

Your email address will not be published. Required fields are marked *