Pratidin TV

Odisha's Digital News Platform

୮୦୦ ଟଙ୍କା କରଜ କରି ବାପା କିଣିଥିଲେ ବ୍ୟାଟ, ସୁନା ଚେନ୍ ବିକ୍ରିି କରି ମା’ ଦେଇଥିଲେ କ୍ରିକେଟ କିଟ୍ ,ଏବେ ପୁଅ ବନିଗଲେ କ୍ରିକେଟର….

1 min read

ସଫଳତା, ଏ ଗୋଟିଏ ଶବ୍ଦ ରେ ରହିଛି ଅନେକ କିଛି । କାରଣ ଏହି ସଫଳତା ହାସଲ୍ କରିବାକୁ କିଏ ଯେ କେତେ କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ବିନା କୌଣସି ସାଧନାରେ ସଫଳତାର ସ୍ୱାଦ ବା କିଏ ପାଇଛି, ସେଥିପାଇଁ ତ କୁହାଯାଏ କଷ୍ଟ କଲେ କୃଷ୍ଣ ମିଳେ, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଆଗ୍ରା ନିବାସୀ ଧ୍ରୁବ ଜୁରେଲ । ସମସ୍ୟା ଓ ସଂଘର୍ଷର ପାହାଡ ଚଢି ଶେଷରେ ସେ ସଫଳତାକୁ ନିଜ ନାଁରେ ଲେଖାଇ ପାରିଛନ୍ତି । ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତ ଧ୍ରୁବ ଜୁରେଲ । ଖୁବ୍ କମ୍ ବୟସରେ ଛୋଟ ଛୋଟ ଆଖିରେ ଦେଖିଥିବା ସବୁ ସ୍ୱପ୍ନକୁ ସେ ପୁରଣ କରିଛନ୍ତି । ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଶେଷରେ ଜଣେ ସଫଳ କ୍ରିକେଟର ବନିଛନ୍ତି ।

ସଂଘର୍ଷରୁ ସଫଳ କ୍ରିକେଟର, ଏହା ହିଁ କେବଳ ଧ୍ରୁବଙ୍କ ପରିଚୟ । ୨୨ ବର୍ଷୀୟ ଧ୍ରୁବ ମୂଳତଃ ଉତ୍ତରପ୍ରଦେଶ ଆଗ୍ରାର ବାସୀନ୍ଦା । ୨୦୨୦ରେ ୧୯ ବର୍ଷରୁ କମ ଟିମ୍ ଇଣ୍ଡିଆର ବିଶ୍ୱକପ ଦଳର ଉପ-ଅଧିନାୟକ ଥିଲେ ଧ୍ରୁବ । ଏହାପରେ ଉ୍‌ତରପ୍ରଦେଶ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିବା ଧ୍ରୁବ ଗତ ଆଇପିଏଲରେ ରାଜସ୍ଥାନ ପାଇଁ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ଦମଦାର ବ୍ୟାଟିଂ ଜରିଆରେ ଆଇପିଏଲରେ ନିଜର ଛାପ ଛାଡିଥିଲେ ଧ୍ରୁବ । ତାସହିତ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଧ୍ରୁବ ଜୁରେଲ । ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଧ୍ରୁବ ଜୁରେଲଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଟିମରୁ ଡାକରା ଆସିଥିଲା । ଧ୍ରୁବ ଜୁରେଲଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ତେବେ ଧ୍ରୁବଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଛି । କାରଣ ଧ୍ରୁବଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ବାପା ନେମ ସିଂ ଜୁରେଲ କାରଗିଲ ଯୁଦ୍ଧ ଲଢିଥିବା ବେଳେ ଧ୍ରୁବ ଜୁରେଲ ମଧ୍ୟ ସେନାରେ ଯିବାକୁ ଚାହୁଁଥିଲେ । ଆର୍ମି ସ୍କୁଲରେ ପଢୁଥିବା ବେଳେ ଧ୍ରୁବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ କ୍ରିକେଟକୁ ଯେ ନିଜର କ୍ୟାରିୟର କରିବେ ତାହା କେବେ ଭାବିନଥିଲେ ।

Advertisement

ପାଠପଢାରେ ସେତେଟା ମନ ଲାଗୁନଥିବାରୁ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ ଧ୍ରୁବ । କିନ୍ତୁ ଧ୍ରୁବ ପାଠପଢା ଛାଡି କ୍ରିକେଟ ତାହା ଚାହୁଁନଥିଲେ ବାପା ନେମ ସିଂ ଜୁରେଲ । ଯେଉଁଥିପାଇଁ ଧ୍ରୁବ ଲୁଚି ଲୁଚି କ୍ରିକେଟ ଖେଳୁଥିଲେ । ତେବେ ପୁଅର ଇଚ୍ଛା ପୂରଣ କରିବାକୁ ବାପା ନେମ ସିଂ ଅନ୍ୟ ଲୋକଙ୍କଠାରୁ ଟଙ୍କା କରଜ ଆଣି ପ୍ରଥମେ ବ୍ୟାଟ୍ କିଣି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ କ୍ରିକେଟ କିଟର ଆବଶ୍ୟକତା ପଡିଲା ସେତେବେଳେ କିଟ୍ ଦାମ ଜାଣିବା ପରେ ଧ୍ରୁବଙ୍କୁ କ୍ରିକେଟ ଛାଡିବାକୁ କହିଥିଲେ ବାପା ନେମ ସିଂ ଜୁରେଲ । କିନ୍ତୁ ଧ୍ରୁବ ନିଜ ଜିଦରେ ଅଟଳ ରହି ବାଥରୁମରେ ନିଜକୁ ବନ୍ଦ କରିଥିଲେ ଏବଂ କ୍ରିକେଟ ଖେଳିବାକୁ ମନା କଲେ ଘରୁ ଚାଲିଯିବି ବୋଲି ଧମକାଇଥିଲେ । ପରେ ତାଙ୍କ ମା’ ନିଜ ସୁନା ହାର ବିକ୍ରି କରି ଧ୍ରୁବଙ୍କୁ କ୍ରିକେଟ କିଟ୍ ଦେଇଥିଲେ । କ୍ରିକେଟର ଭାବେ ସଫଳ ହେବା ପରେ ଧ୍ରୁବ କହିଛନ୍ତି, ସେତେବେଳେ ଏଭଳି କରିଥିଲି ବୋଲି ଭାବିଲେ ଅନୁତାପ କରେ । କାରଣ ମୋ କ୍ରିକେଟ ଖେଳ ପାଇଁ ବାପା-ମାଙ୍କ ତ୍ୟାଗ ବହୁତ ଅଧିକ ଥିଲା ।

ଧ୍ରୁବ କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ତାଙ୍କର ସାଙ୍ଗ ତାଙ୍କୁ ଜଣାଇଥିଲେ । ଯାହା ଜାଣିବା ପରେ ପୂରା ପରିବାର ଭାବୁକ ହୋଇପଡିଥିଲା । ଦଳରେ ସ୍ଥାନ ପାଇବା ପରେ ବାପା ପଚାରିଥିଲେ କେଉଁ ଟିମରେ ଚୟନ ହୋଇଛି । ଏହାର ଉତ୍ତରରେ ଧ୍ରୁବ କହିଥିଲେ ରୋହିତ ଭାଇ ଓ ବିରାଟ ଭାଇ ଖେଳୁଥିବା ସିନିୟର ଟିମରେ ସ୍ଥାନ ମିଳିଛି । ଯାହା ଜାଣିବା ପରେ ପୁରା ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା ।

Leave a Reply

Your email address will not be published. Required fields are marked *