Pratidin TV

Odisha's Digital News Platform

ପୁଅ ପାଇଁ ସୁପର ହିରୋ ସାଜିଲେ ବାପା , କିଡନୀ ଦାନ କରି ବଞ୍ଚାଇଲେ ଜୀବନ..

1 min read

ଆଙ୍ଗୁଠି ଧରି ବାଟ ଚଲେଇବା ଶିଖାନ୍ତି ଯିଏ, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି ଯିଏ, ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ହସିବା ଶିଖାଇଥାନ୍ତି ଯିଏ; ସିଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ବାପା । ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ । କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା । କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି, ଗାଳି ଦିଅନ୍ତି । ଆବଶ୍ୟକ ପଡ଼ିଲେ ପିଲାଙ୍କ ଉପରକୁ ହାତ ବି ଉଠାନ୍ତି । ଆଉ କେତେବେଳେ ସନ୍ତାନ ର ଖୁସି ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ପଛାଏ ନାହିଁ ବାପା । ଆଜି ସେହି ବାପା ପୁଅକୁ କିଡନୀ ଦାନ କରି ଦେଇଛନ୍ତି ନୂଆ ଜୀବନ । ମଧ୍ୟପ୍ରଦେଶ ରିଓ ଜିଲ୍ଲାରୁ ଆସିଛି ଏପରି ହୃଦୟସ୍ପର୍ଶୀ କାହାଣୀ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ରହୁଥିବା ଯୁବକଙ୍କୁ ଭୋକ ନଲାଗିବା ବାନ୍ତି ହେବା ଭଳି ସମସ୍ୟା ଦେଖା ଦେଇଥିଲା । ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା । ତେଣୁ ଚିକିତ୍ସା ପାଇଁ ସେ ଏମ୍ସ ଭୋପାଳର ଓପିଡ଼ି ଡାକ୍ତରଙ୍କ ନିକଟରେ ଯାଇ ପହଞ୍ଚିଥିଲେ । ଡାକ୍ତର ଯୁବକଙ୍କ ଚିକିତ୍ସା କରି କହିଥିଲେ ତାଙ୍କର ଦୁଇଟି କିଡନି ନଷ୍ଟ ହୋଇଯାଇଛି । ବଞ୍ଚିବାକୁ ହେଲେ ଦୁଇଟି ବିକଳ୍ପ ଅଛି । ଗୋଟିଏ ହେଉଛି ଡାଏଲସିସି ନଚେତ କିଡ଼ନି ପ୍ରତିରୋପଣ କରିବାକୁ ହେବ । ଯୁବକ ଓ ତାଙ୍କ ପରିବାର କିଡନୀ ପ୍ରତିରୋପଣ ବିକଳ୍ପକୁ ବାଛିଥିଲେ । ଏହାପରେ କିଡନୀ ଦାତାଙ୍କୁ ଖୋଜିଥିଲେ ।

Advertisement

ଅନେକ ଖୋଜଖୋଜି ପରେ ଯେଉଁ କିଡନି ଦାତାମାନେ ମିଳିଥିଲେ ସେମାନେ ଅଧିକା ଅର୍ଥ ଦାବି କରିଥିଲେ । ଯାହାକି ରୋଗୀ ଓ ତାଙ୍କ ପରିବାର ପାଖରେ ସେତେ ସମ୍ବଳ ନଥିଲା । ଏଭଳି ପରିସ୍ଥିତିରେ ବାପା ପୁଅକୁ କିଡନି ଦେବାକୁ ସ୍ଥିର କରି ନିଜର ପରୀକ୍ଷା କରାଇଥିଲେ । ଏହି ପରୀକ୍ଷାରେ ବାପାଙ୍କ କିଡନି ପୁଅ ଶରୀରରେ ଖାପଖାଇଯିବ ବୋଲି ଡାକ୍ତର କହିଥିଲେ । ଏହାପରେ ପ୍ରତିରୋପଣ ପ୍ରକିୟା ଆରମ୍ଭ ହୋଇଥିଲା । ଡାକ୍ତରମାନଙ୍କ କିଛିଘଣ୍ଟାର ପରିଶ୍ରମ ପରେ ସଫଳତାର ସହ ବାପାଙ୍କ କିଡନୀ ପୁଅ ଶରୀରରେ ପ୍ରତିରୋପଣ ହୋଇଯାଇଥିଲା । ବର୍ତ୍ତମାନ ବାପା ପୁଅ ଦୁହେଁ ସୁସ୍ଥ ଅଛନ୍ତି । ତାଙ୍କୁ ଏବେ ହସ୍ପିଟାଲ ରୁ ଡିସଚାର୍ଜ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *