ନୂପୂରଙ୍କ ସପକ୍ଷରେ ଡଚ୍ ସାଂସଦ: ଆର୍ଥିକ କାରଣରୁ ବିପଦରେ ଭାରତର ସ୍ୱାଧୀନତା
1 min readନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ପାଇଁ ନୂପୂର ଶର୍ମାଙ୍କୁ ବିଜେପି ପକ୍ଷରୁ ନିଲମ୍ବନ କରାଯାଇଥିବା ବେଳେ ସପକ୍ଷରେ ବାହାରିଛନ୍ତି ବିଦେଶୀ ସାଂସଦ । ନେଦରଲ୍ୟାଣ୍ଡସର ସାଂସଦ ଗ୍ରିଟ୍ ୱାଇଲ୍ଡର୍ସ ନୂପୂରଙ୍କ ସମର୍ଥନ କରିଛନ୍ତି । ଗୋଟିଏ ପଟେ ନୂପୂରଙ୍କ ବୟାନକୁ ନେଇ ଭାରତ ଉପରେ ବିଭିନ୍ନ ଇସଲାମିକ୍ ରାଷ୍ଟ୍ର ପକ୍ଷରୁ କଟକଣା ଜାରି କରାଯାଉଛି । ସମାନ ସମୟରେ ୱାଇଲ୍ଡର୍ସ ନୂପୂରଙ୍କୁ ସମର୍ଥନ ଜାହିର କରି ବୟାନ ଦେଇଛନ୍ତି । ୱାଇଲ୍ଡର୍ସ କହିଛନ୍ତି ଅର୍ଥନୈତିକ କାରଣରୁ ଭାରତ ନିଜର ସ୍ୱାଧୀନତାକୁ କ୍ଷୁର୍ଣ୍ଣ ନ କରିବା ଉଚିତ୍ ।
ଏହା ସହିତ ନୂପୂର ଯାହାବି ବୟାନ ଦେଇଛନ୍ତି ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି । ସତ୍ୟ କହିବା ପାଇଁ ଯଦି ଜଣଙ୍କୁ ନିଲମ୍ବନ କରାଯାଏ ତେବେ ଏହାଠୁ ଅଧିକ ଖରାପ କିଛି ନହୋଇ ପାରେ ବୋଲି କହିଛନ୍ତି ଡଚ୍ ସାଂସଦ ୱାଇଲ୍ଡର୍ସ । ଏହା ସହିତ ଗୋଟିଏ ଦେଶ ଅର୍ଥନୈତିକ ଫାଇଦା ପାଇଁ ନିଜର ସ୍ୱାଧୀନତା ନ ହରେଇବା ଉଚିତ୍ । ଏହି ଘଟଣାରୁ ଗୋଟିଏ ଜିନିଷ ସ୍ପଷ୍ଟହୋଇଛି କି ଭାରତର ସ୍ୱାଧୀନତା ବର୍ତ୍ତମାନ ବିପଦରେ ଅଛି । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ନିଜର ମତପ୍ରକାଶର ଅଧିକାର ସମସ୍ତଙ୍କର ରହିଛି । ନୂପୂରଙ୍କ ମତ ସହିତ କେହି ସହମତି ଜତାଇବେ ବା ନାହିଁ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ମାତ୍ର ନୂପୂରଙ୍କୁ ନିଲମ୍ବନ ଦ୍ୱାରା ବାକ୍ ସ୍ୱାଧୀନତାର ଗଳା ଦବାଇ ହତ୍ୟା କରାଯିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ୱାଇଲ୍ଡର ।
ୱାଇଲ୍ଡର କହିଛନ୍ତି ମୁଁ ନୂପୂରଙ୍କୁ ସମର୍ଥନ କରିବା କାରଣରୁ ମତେ ମଧ୍ୟ ହତ୍ୟା ଧମକ ମିଳୁଛି । ତେବେ କୌଣସି ବି ପରସ୍ଥିତିରେ ମୁଁ ପଛକୁ ହଟିବି ନାହିଁ । ବର୍ତ୍ତମାନ ସୁଦ୍ଧା ଗଲ୍ଫ ରାଷ୍ଟ୍ର ଗୁଡିକ ସମେତ ଇରାକ୍, ଇରାନ୍, କୁଏତ୍, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍, ମଲଡିଭସ, ଲିବ୍ୟା ଏବଂ ଇଣ୍ଡୋନେସିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ରାଷ୍ଟ୍ରଗୁଡିକ ନିଜ ରାଷ୍ଟ୍ରଦୂତ ମାନଙ୍କ ଜରିଆରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।