Pratidin TV

Odisha's Digital News Platform

ଦର୍ଶକଙ୍କ ମନକୁ ଛୁଇଁଲା ଭଞ୍ଜକଲା ମଣ୍ଡପରେ ପର୍ଯ୍ୟବେଷିିତ ‘କଲିକତା ଚେଙ୍କ’

1 min read

“କଲିକତି ଚେଙ୍କ” ଫତୁରାନନ୍ଦଙ୍କର ଏକ ବିଶେଷ ହାସ୍ୟ-ରସାତ୍ମକ ସୃଜନ ଯେଉଁଥିରେ କେବଳ ହାସ୍ୟରସ ଓ ବ୍ୟଙ୍ଗ ରହିଛି, ତା ନୁହେଁ ବରଂ ଏଥିରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ବେଶ୍ କିଛି ସମାଜ ସୁଧାର କଥା ଗୁନ୍ଥା ହୋଇ ରହିଛି । ଫତୁରାନନ୍ଦଙ୍କ ସାମାଜିକ ଜୀବନ ସାଧାରଣ ହେଲେ ହେଁ ସଦାସର୍ବଦା ସମାଜରେ ସୁଧାର ପାଇଁ ତଥା ଲୋକଙ୍କ ହିତ ପାଇଁ ସମାଜର କଥା ହିଁ କହିଛନ୍ତି ଆଉ ଲେଖିଛନ୍ତି । ଆଉ ତାରି ଭିତରେ ଭରି ଦେଇଛନ୍ତି ଅନେକ ମନୋରଞ୍ଜନ ଓ ଆତ୍ମ ଚିନ୍ତନର କଥା ।

ଏହି ସୃଷ୍ଟିଟି ତାଙ୍କର ଏକ ଅମ୍ଳାନ କୃତି। ଦାରିଦ୍ର୍ୟ ମଣିଷକୁ କିପରି ହନ୍ତସନ୍ତ କରେ, ଲୋକେ ଅନ୍ୟର ଠକାମୀ ପଣକୁ ଶିଖି କିପରି ବେଉସା କରନ୍ତି, ଆମ ଆଖପାଖ ବଜାରରେ ବୁଲୁଥିବା ଛୋଟ ବୁଲା ବିକାଳିମାନଙ୍କର ଦୈନନ୍ଦିନ ଜୀବନ, ତାଙ୍କର ସୁଖଦୁଃଖ, ତାଙ୍କ ଭିତରେ ବଞ୍ଚିଥିବା ସ୍ୱପ୍ନର ଏକ ନିଛକ ସତ୍ୟକୁ ଚିତ୍ରଣ କରିଛନ୍ତି – ସ୍ରଷ୍ଟା ଫତୁରାନନ୍ଦ।

Advertisement

ଯଦିଓ ଏହା ଅନେକ ବର୍ଷ ତଳେ ଲେଖା ଯାଇଥିଲା ତଥାପି ଏହାର ଛବି ଆଜିର ଦିନରେ ମଧ୍ୟ ଆମ ସମାଜ ଭିତରେ ଦେଖାଯାଏ। ଆଜି ସହରରେ ବଡ଼ ବଡ଼ ସପିଂ ମଲ୍ – ବିଗ୍ ବଜାର ଦେଖାଯାଉ ଥିଲେ ବି ହାଟ ବଜାର ରହିଛି ଏବଂ ତା’ ଭିତରେ ଅଛନ୍ତି ଅନେକ ଛୋଟ ଛୋଟ ବୁଲା ବିକାଳି। ଏବେବି ସେମାନେ ସାମାନ୍ୟ ମୂଷା ମରା ଔଷଧ, ଯାଦୁ ମଲମ, ଅତି ସାଧାରଣ ଘରକରଣା, ମୁଢ଼ିମସଲା, ଭଜାଚଣା ଇତ୍ୟାଦି ବିକି ପରିବାର ନିର୍ବାହ କରୁଛନ୍ତି। କୋର୍ଟ କଚେରୀ ସମ୍ମୁଖରେ ଏବେ ବି ମିଳନ୍ତି ସେଇ କେତେକ ହାତଦେଖା ଠକ ବାବା ଓ ଶିକାର ହୁଅନ୍ତି ନିରୀହ ମଣିଷମାନେ। ଏବେବି ଦେଖିବାକୁ ମିଳେ ସେମାନଙ୍କ ଭିତରେ ଥିବା ଭଲ ପାଇବା ଓ ଟଣା ଓଟରା। ଫତୁରାନନ୍ଦ ଯାହା କିଛି ଲେଖିଛନ୍ତି ତାହା ମଞ୍ଚରେ ଆପଣଙ୍କ ସମ୍ମୁଖରେ ଭେଟି ଦେଲେ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦଶେକ ଚିତ୍ତରଞ୍ଜନ ଶତପଥୀ। ମଞ୍ଚ ପରିଚାଳନା କରିଥିଲେ ହର ପ୍ରସାଦ ପଟ୍ଟନାୟକ, ଆଦିତ୍ୟ ଏବଂ ପ୍ରତୀକ୍ଷା ।

ଏହି ନାଟକଟି “ଦ କ୍ୟାଚ – ଓଡ଼ିଶା”, ଅନୁଷ୍ଠାନର ଏକାଦଶ ତମ ବାର୍ଷିକ ଉତ୍ସବର ବିଶେଷ ଭେଟି ଆପଣମାନଙ୍କ ପାଇଁ ପରିବେଷଣ କଲେ ଦ କ୍ୟାଚ-ଓଡ଼ିଶା ର ହର, ତୋଫାନ, ଦେବା, ସୌମ୍ୟ, ଅରୁଣ, ଗୁରୁ, ନିଲେଶ, ଜିତେନ୍ଦ୍ର, ଜାନକୀ, ଲକ୍ଷ୍ମୀ, ରଞ୍ଜିତା, ବନ ଯୋଷ୍ଣା, ମୀରା ଅପା, ଇତ୍ୟାଦି କଳାକାରମାନେ। ଆଜି ଡଃ. ରଜନୀ ରଞ୍ଜନ ଦାଶ, ଡ ହରିହର କାନୁନଗୋ, ଶ୍ରୀ ଧୀର ମଲ୍ଲିକ, ପ୍ରଫେସର ଉମା ଶଙ୍କର ମିଶ୍ର, ଶ୍ରୀ ରତିକାନ୍ତ ପାଢ଼ୀ, ଶ୍ରୀ ପ୍ରବୋଧ ରଥ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କ ଉପସ୍ଥିତି ଉତ୍ସବକୁ ଋଦ୍ଧିମନ୍ତ କରିଥିଲା।

Leave a Reply

Your email address will not be published. Required fields are marked *