Pratidin TV

Odisha's Digital News Platform

ସହରରେ ୨ ଦିନ ଗଡି ବନ୍ଦ ହୋଇଗଲା ଇ-ବସ, ପ୍ରଶ୍ନ ଉଠାଇଲେ ସହରବାସୀ…

1 min read


ବାଲେଶ୍ୱର: ବାଲେଶ୍ୱର ସହରବାସୀଙ୍କ ଯାତାୟତ ସୁବିଧା ନେଇ ଆରମ୍ଭ ହୋଇଥିଲା ଇ-ବସ । ଗତ ସେପ୍ଟେମ୍ବର ୧୯ ରେ ଏହି ବସ ସେବାର ଶୁଭାରମ୍ଭ କରାଯାଇଥିଲା । ବାଲେଶ୍ୱର-ଭଦ୍ରକ ଅରବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନିଷ୍ପତ୍ତି ଅନୁଯାୟୀ ବାଲେଶ୍ୱରରେ ଗତ ସେପ୍ଟେମ୍ବର ୧୯ ରେ ଏହି ବସ ସେବାର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ଗୋଟିଏ ବସ ଆସିଥିଲା ବେଳେ ପରବର୍ତ୍ତି ସମୟରେ ଆଉ ୫ଟି ବସ ଆସିବାର ଯୋଜନା ଥିଲା । ୩୩ ସିଟ ବିଶିଷ୍ଟ ଏହି ବସ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଗଡିଥିଲା । ହେଲେ ମାତ୍ର ୨ ଦିନ ଚାଲିବା ପରେ ଏହି ଇ-ବସ ସେବା ବନ୍ଦ ହୋଇଗଲା । ବର୍ତ୍ତମାନ ଏହି ଇ ବସ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରହିଛି । ହେଲେ ଇ-ବସ ସେବା କାହିଁକି ବନ୍ଦ ହୋଇଗଲା ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ ।


ସେହିଭଳି ୨୦୧୭ରେ ବାଲେଶ୍ୱରରେ ଆରମ୍ଭ ହୋଇଥିଲା ସିଟି ବସ । ଏହି ସିଟି ବସ ସହର ସମେତ ସହରର ଆଖ ପାଖ ଅଞ୍ଚଳରେ ମଧ୍ୟ ଗଡିଥିଲା । ମାତ୍ର ୬ ମାସ ଚାଲିବା ପରେ ଏହି ସିଟିବସ ବନ୍ଦ ହୋଇଗଲା । କାରଣ ସହରର ସଂକୀର୍ଣ୍ଣ ରାସ୍ତାରେ ଏହି ବଡ ବସ ଯାତାୟତ କରିପାରିଲା ନାହିଁ । କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ସିଟି ବସ ଏବେ ମଧ୍ୟ ସହରର ଗାନ୍ଧିସ୍ମୃତିଭବନରେ ଖତ ଖାଉଛି । ସିଟିବସ ସେବା ବନ୍ଦର ୬ ବର୍ଷ ପରେ ଇ-ବସ ସେବା ଆରମ୍ଭ ହୋଇଥିଲା । ହେଲେ ସିଟି ବସ ସେବା ଭଳି ଇ-ବସ ସେବା ସବୁ ଦିନ ପାଇଁ ବନ୍ଦ ହୋଇଯିବ ନେଇ ଆଶଙ୍କାରେ ରହିଛନ୍ତି ସହରବାସୀ । ଅନ୍ୟପଟେ ଇ-ବସ ସେବା ଚଳାଚଳ ଦାୟିତ୍ୱ କାହାକୁ ଦିଆଯାଇନାହିଁ । ପୌରପାଳିକା ପକ୍ଷରୁ ଟେଣ୍ଡର ହୋଇଥିଲା ମାତ୍ର କେହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ ।ପରବର୍ତ୍ତୀ ସମୟରେ ଟେଣ୍ଡର କରି ଖୁବ ଶୀଘ୍ର ଇ-ବସ ସେବା ସହରରେ ଆରମ୍ଭ ହେବ ବୋଲି ପୌରାଧ୍ୟକ୍ଷା ଓ ସଦର ବିଧାୟକ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *