Pratidin TV

Odisha's Digital News Platform

ଏମିତି ନେତା ନାମାଙ୍କନ ଭରି , ଭୋଟ ନଦେବାକୁ କରନ୍ତି ବୁଲି ବୁଲି ପ୍ରଚାର , ହାରିବା ପରେ ବାଣ୍ଟନି ମିଠା …

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତା ବିଜୟର ଆଶାରେ ଲୋକଙ୍କଠାରୁ ଭୋଟ୍ ମାଗନ୍ତି ଏବଂ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି , କିନ୍ତୁ ଏମିତି ଏକ ନେତା ଯିଏକି ତାଙ୍କ ଜୀବନରେ ୩୫୦ ରୁ ଅଧିକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଥରେ ବି ଜିତି ପାରିନଥିଲେ । ସେ କାଉନସିଲର ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ଭୋଟ୍ ମାଗିନଥିଲେ । ସେ ଭୋଟରମାନଙ୍କୁ କହୁଥିଲେ – ଦୟାକରି ମୋତେ ଭୋଟ୍ ଦେଇ ତୁମର ଭୋଟ୍ ନଷ୍ଟ କର ନାହିଁ । ହାରିବା ପରେ ମିଠା ବାଣ୍ଟୁଥିଲେ । କେବଳ ଏତିକି ନୁହେଁ, ଏହି ବ୍ୟକ୍ତି ଜଣକ ଜିତିବା ପାଇଁ ନୁହେଁ ହାରିବା ପାଇଁ ନିର୍ବାଚନ ଲଢ଼ନ୍ତି ।

ଏ ହେଉଛନ୍ତି ଉତ୍ତରପ୍ରଦେଶର ବରେଲି ସହରର କାକା ଜୋଗିନ୍ଦର ସିଂ ଓରଫ ଧରତି ପକଡ଼ । ୧୯୬୨ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନ ଲଢ଼ିଥିଲେ । ଜିତିବା ପାଇଁ ନୁହେଁ ବରଂ ହାରିବା ଲାଗି । କାକା ଯୋଗିନ୍ଦରଙ୍କ ଏହି ବିଶେଷତା ଯୋଗୁ ସାରା ଦେଶରେ ବେଶ ପରିଚିତ ଥିଲେ । ସେ ନିଜ ଜୀବନରେ ମେୟରଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା , ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ପଦ ଭଳି ପ୍ରତିଟି ନିର୍ବାଚନ ଲଢ଼ିଥିଲେ । ମୋଟ ଉପରେ ଦେଖିଲେ ୩୬ ବର୍ଷରେ ସେ ୩୫୦ ନିର୍ବାଚନ ଲଢ଼ିଥିଲେ । ସବୁ ନିର୍ବାଚନରେ ସେ କେବଳ ନାମାଙ୍କନ କରୁଥିଲେ । ଭୋଟରଙ୍କ ପାଖକୁ ଯାଇ ଭୋଟ ନ ଦେବାକୁ କହୁଥିଲେ । ତାଙ୍କର ପ୍ରଚାରର ଶୈଳୀ ଭିନ୍ନ ଥିଲା । ସେ ସାଇକେଲରେ ପ୍ରଚାର କରୁଥିଲେ ।

ଏଣୁ ତାଙ୍କୁ ବାରମାସିଆ ପ୍ରାର୍ଥୀ ବୋଲି କୁହାଯାଉଥିଲା । ହାରି ଯିବା ପରେ ସେ ସମଗ୍ର ଅଞ୍ଚଳରେ ମିଠା ବାଣ୍ଟୁଥିଲେ । ତେବେ ତାଙ୍କୁ ପ୍ରତ୍ୟେକ ବିଧାନସଭାରେ କିଛି ଭୋଟ ନିଶ୍ଚିତ ମିଳୁ ଥିଲା । ପ୍ରତିଟି ନିର୍ବାଚନରେ କାକା ଯୋଗିନ୍ଦର ସିକ୍ୟୁରିଟି ଟଙ୍କା ସରକାରଙ୍କ କାମରେ ଆସୁ ଭାବି ନାମାଙ୍କନ ରାଶି ଜମା କରୁଥିଲେ । ସେ ସର୍ବଦା ଦେଶରେ ଇଲେକ୍ସନ ନୁହେଁ, ସିଲେକ୍ସନ ହେବା ଉଚିତ ବୋଲି ଧାରଣା ରଖୁଥିଲେ । କାରଣ ନିର୍ବାଚନ ଯୋଗୁ ଦେଶ ଉପରେ ଖର୍ଚ୍ଚର ବୋଝ ବଢ଼ିଥାଏ । କେବଳ ଦଳ ଦେଖି ପ୍ରାର୍ଥୀ ବାଛିଥାନ୍ତି ଦଳ । ଏଣୁ ସର୍ବଦା ଜନସାଧାରଣ ପ୍ରାର୍ଥୀ ଚୟନ କରନ୍ତୁ ବୋଲି ସେ କହିଆସୁଥିଲେ । ହେଲେ ସେ ସର୍ବାଧିକ ଥର ନିର୍ବାଚନ ଲଢ଼ିବାର ରେକର୍ଡ ନିଜ ନାମରେ କରିବାକୁ ଲଢ଼ୁଥିଲେ ।

ଏକଦା କାକା ଯୋଗିନ୍ଦର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ନାମାଙ୍କନ କରିଥିଲେ । ସେ ରାଷ୍ଟ୍ରପତି ନିର୍ବାଚନରେ ଡା. ଶଙ୍କରଦୟାଲ ଶର୍ମା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ କେ ଆର୍ ନାରାୟଣଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ । ସେତେବେଳେ ଏହି ଦୁଇ ପଦରେ ନିନ୍ଦ୍ୱନ୍ଦ୍ୱରେ ନିର୍ବାଚନ ହେବା ଲାଗି ଶାସକ ଏବଂ ବିରୋଧୀ ଦଳ ସହମତ ଥିଲେ । ହେଲେ କାକା ଯୋଗିନ୍ଦରଙ୍କ ଯୋଗୁ ତାହା ହୋଇପାରି ନ ଥିଲା ।

କାକା ଯୋଗିନ୍ଦର ସିଂ ଭାରତର ଗୁଞ୍ଜରାବାଲା(ଏବେ ପାକିସ୍ତାନ)ରେ ୧୯୧୮ରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ ତାଙ୍କ ପରିବାର ବରେଲିରେ ରହି ଯାଇଥିଲା । ଏଠାର ବଡ ବଜାରରେ କାକାଙ୍କର ପୋଷାକ ଦୋକାନ ଆଜି ମଧ୍ୟ ରହିଛି । ସେ ନିଜର ପ୍ରଥମ ନିର୍ବାଚନ ବରେଲି ସହର ବିଧାନସଭାରୁ ୧୯୬୨ରେ ଲଢ଼ିଥିଲେ । ତାଙ୍କୁ ମୋଟ ୭୪୭ ଭୋଟ ମିଳିଥିଲା । ଏହାପରେ ସେ ସବୁ ନିର୍ବାଚନରେ ନାମାଙ୍କନ କରିଥିଲେ । କେବଳ ଉତ୍ତରପ୍ରଦେଶ ନୁହେଁ, ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ସେ ନାମାଙ୍କନ କରୁଥିଲେ ।

Leave a Reply

Your email address will not be published. Required fields are marked *