Pratidin TV

Odisha's Digital News Platform

ଟ୍ରମ୍ପ୍‌ଙ୍କ ନିର୍ବାଚନ ପ୍ରଚାର ରାଲିରେ ନାଚିଲେ ମସ୍କ , କହିଲେ ସମ୍ବିଧାନର ସୁରକ୍ଷା ପାଇଁ ଟ୍ରମ୍ପଙ୍କୁ ଜିତିବାକୁ ପଡ଼ିବ..

1 min read

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶନିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କୌତୁହଳର ବିଷୟ, ଟେସଲା ସିଇଓ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କ ସହ ମଞ୍ଚରେ ନଜର ଆସିଥିଲେ।  ଜୁଲାଇ ମାସରେ ପେନ୍ସିଲଭାନିଆର ବଟ୍‌ଲରରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଯେଉଁ ସ୍ଥାନରେ ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିଲେ, ଠିକ୍‌ ସେହି ସ୍ଥାନରେ ଅନୁଷ୍ଠିତ ଏକ ମେଗା ରାଲିରେ ମସ୍କ ଯୋଗଦେଇ ଟ୍ରମ୍ପ୍‌ଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରାଇବାକୁ ଆହ୍ବାନ ଦେଇଛନ୍ତି। 

କଳା ରଙ୍ଗର ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ (ମାଗା) ଟୋପି ପିନ୍ଧିଥିବା ମସ୍କ  ଟ୍ରମ୍ପ୍‌ ସମର୍ଥକଙ୍କ ଉତ୍ସାହିତ ଭିଡ଼ ଭିତରେ ମଞ୍ଚକୁ ଓହ୍ଲାଇବା ବେଳେ ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା। ମସ୍କଙ୍କ ଏହି ପଦକ୍ଷେପ ଉପରେ ପୂରା ବିଶ୍ବର ନଜର ରହିଥିଲା। ମସ୍କ ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ସହ ହାତ ମିଳାଇ କହିଥିଲେ

Advertisement

ମୁଁ ଭାବୁଛି ଏହି ନିର୍ବାଚନ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ।  ସମ୍ବିଧାନର ସୁରକ୍ଷା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜିତିବାକୁ ପଡ଼ିବ। ଆମେରିକାରେ ଗଣତନ୍ତ୍ରକୁ ବଜାୟ ରଖିବାକୁ ହେଲେ ତାଙ୍କୁ ଜିତିବାକୁ ପଡ଼ିବ।  ସେ ଜିତିବା ନିହାତି ଜରୁରୀ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରି ମସ୍କ କହିଛନ୍ତି ଯେ ବାଇଡେନ ଏଭଳି ଜଣେ ବ୍ୟକ୍ତି ଯିଏ କି ନିଜକୁ ପରିଚାଳନା କରିବାକୁ ଅସମର୍ଥ। ଜୁଲାଇ ୧୩ରେ ସେହି ମଞ୍ଚରେ ହୋଇଥିବା ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଟ୍ରମ୍ପ୍‌ଙ୍କ ଦୃଢ଼ତାକୁ ମସ୍କ ଭୂୟସୀ ପ୍ରଶଂସା କରିଥିଲେ।  ଗୁଳି ବାଜିବା ପରେ ବି ଟ୍ରମ୍ପ୍‌ ଦୃଢ଼ତାର ସହ ପରିସ୍ଥିତିକୁ ମୁକାବିଲା କରି ଲଢ଼େଇ ପାଇଁ ଆହ୍ବାନ ଦେବା ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ବୋଲି ମସ୍କ କହିଛନ୍ତି।

ପ୍ରଥମ ଥର ପାଇଁ ମସ୍କ ଟ୍ରମ୍ପ୍‌ଙ୍କ ଏକ ପ୍ରଚାର ରାଲିରେ ଯୋଗଦେଇ  ଆମେରିକା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି ଏବଂ ଆଗକୁ ଏହା ଟ୍ରମ୍ପ୍‌ଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *