Pratidin TV

Odisha's Digital News Platform

ଏଣିକି ଟ୍ୱିଟ୍‌ର’ର ମାଲିକ ଏଲନ ମସ୍କ , ବିଦାହେଲେ ସିଇଓ ପରାଗ ଅଗ୍ରୱାଲଙ୍କ ସହ ..

ନୂଆଦିଲ୍ଲୀ : ଏବେ ମସ୍କଙ୍କ ନିୟନ୍ତ୍ରଣରେ ଟ୍ୱିଟର । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ସୋଶିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ଅଧୀନରେ କରିନେଇଛନ୍ତି । ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ।ଟ୍ୱିଟରର ନକଲି ଆକାଉଂଟ ଯୋଗୁଁ ଟ୍ୱିଟର ଏବଂ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା ଏବଂ ସେମାନେ ଜୁଲାଇ ୯ ରେ ଚୁକ୍ତିରୁ ଓହରିବାକୁ ନିଷ୍ପତି ନେଇଥିଲେ । ଏହା ପରେ ଟ୍ୱିଟର ସିଇଓ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।

ତେବେ ଡେଡ୍ ଲାଇନର ଶେଷଦିନ ମସ୍କ ଅଫିସରେ ପହଞ୍ଚି ଟ୍ୱିଟ୍‌ର ଡିଲ ଫାଇନାଲ କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ । ସେ ହାତରେ ଗୋଟିଏ ୱାଶ ବେସିନ୍ ଧରି ଟ୍ୱିଟର କାର୍ଯ୍ୟାଳୟରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ସେ ଟ୍ୱିଟର କାର୍ଯ୍ୟାଳୟରେ କଫି ପିଉଥିବା ଫଟୋ ମଧ୍ୟ ଛାଡ଼ିଥିଲେ। ଯାହାର ଫଟୋ ଏବଂ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଥିଲା ।

ସେହିପରି ଟ୍ୱିଟ୍‌ର ମାଲିକାନା ହାସିଲ କରିବା ପରେ ମସ୍କ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁଙ୍କୁ ତାଙ୍କ ପଦବୀରୁ ବିଦା କରିଦେଇଛନ୍ତି । ଏନେଇ ଆମେରିକା ଗଣମାଧ୍ୟମ ସୂଚନା ଦେଇଛି ।

ଅନ୍ୟପକ୍ଷରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ ଟ୍ୱିଟର କର୍ମଚାରୀମାନେ ମଧ୍ୟ ପର୍ଯ୍ୟାକ୍ରମରେ କମ୍ପାନୀ ଛାଡ଼ିବା ଆରମ୍ଭ କରିଥିବା ମଧ୍ୟ ଖବର ମିଳିଛି। ତେବେ ଆହୁରି ଅନେକ କର୍ମଚାରୀ ଏବେ ବି କମ୍ପାନୀ ସହ ଜଡ଼ିତ ହୋଇ ରହିଛନ୍ତି। ସେମାନେ ମସ୍କଙ୍କ ସହ କାମ କରିବାକୁ ରାଜି ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *