Pratidin TV

Odisha's Digital News Platform

‘ଏମରଜେନ୍ସି’କୁ ମିଳିଲ ୟୁଏ ସାର୍ଟିଫିକେଟ; ରିଲିଜ ଅନୁମତି ଦେଲା CBFC

1 min read

ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି ‘କୁ ମିଳିଛି ଗ୍ରୀନ୍ ସିଗନାଲ୍। ଦେଶର ଜରୁରୀକାଳୀନ ପରିସ୍ଥିତି, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍‌ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍‌ସି) ପକ୍ଷରୁ ଅନୁମତି ମିଳିଛି। ତେବେ ଫିଲ୍ମରେ ଦିଆଯାଇଥିବା ତଥ୍ୟ କେଉଁଠାରୁ ସଂଗୃହୀତ ହୋଇଛି ତା’ର ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ ବୋର୍ଡ କିଛି ସର୍ତ୍ତ ରଖି ଏହି ଅନୁମତି ଦେଇଛନ୍ତି। ତେଣୁ ସର୍ତ୍ତ ପାଳନ ପରେ ନିର୍ଦ୍ଦେଶକ ଫିଲ୍ମକୁ ରିଲିଜ୍ କରିପାରିବେ। ଫିଲ୍ମର କିଛି ଦୃଶ୍ୟ କାଟିବାକୁ ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଫିଲ୍ମରେ ପ୍ରଦର୍ଶିତ ହେବାକୁ ଥିବା ଐତିହାସିକ ଘଟଣାବଳୀ ପାଇଁ ନିର୍ମାତାଙ୍କୁ ଡିସ୍‌କ୍ଲେମର ପ୍ରଦାନ କରିବାକୁ ପଡ଼ିବ। ଏହି ପରିବର୍ତ୍ତନ ପରେ ଯାଇ ଫିଲ୍ମ ରିଲିଜ୍ ହୋଇପାରିବ ବୋଲି CBFC କହିଛି। ଫିଲ୍ମରେ କେଉଁ ସବୁ ସିନରେ ପରିବର୍ତ୍ତନ ହେବ ତାର ତାଲିକା ବୋର୍ଡ ଫିଲ୍ମ ନିର୍ମାତାମାନଙ୍କୁ ପଠାଇଛି।

ସେପଟେ ‘ଏମର୍ଜେନ୍ସି’କୁ UA ସାର୍ଟିଫିକେଟ୍ ମିଳିବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଥିଏଟରଗୁଡ଼ିକରେ ‘ଏମରଜେନ୍ସି ’ କେବେ ରିଲିଜ୍‌ ହେବ ସେନେଇ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ‘ଏମରଜେନ୍ସି ’ ଫିଲ୍ମ ନିର୍ମାତାଙ୍କ ଅଭିଯୋଗ କ୍ରମେ ଆସନ୍ତା ୧୮ ସୁଦ୍ଧା ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ ନେଇ ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟ ସିବିଏଫ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଏହା ସମାଜକୁ ଭୁଲ୍‌ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ କରି ପଞ୍ଜାବର ଶିରୋମଣି ଅକାଳୀ ଦଳ(ଏସ୍‌ଏଡି) ସମେତ ବହୁ ଶିଖ୍‌ ସଙ୍ଗଠନ ଫିଲ୍ମର ରିଲିଜକୁ ବିରୋଧ କରିଥିଲେ, ଯାହା ପରେ ‘ଏମର୍ଜେନ୍ସି’ ବିବାଦ ଘେରକୁ ଆସିଥିଲା।

Leave a Reply

Your email address will not be published. Required fields are marked *