ସ୍ପିନ୍ ଜାଲରେ ଛନ୍ଦି ହେଲା ଇଂଲଣ୍ଡ, ଫାଇନାଲରେ ପହଞ୍ଚିଲା ଭାରତ
1 min readଦୀର୍ଘ ୧0 ବର୍ଷ ଅପେକ୍ଷାର ଅନ୍ତ ଘଟିଛି | ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ମ୍ୟାଚରେ ଭାରତର ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ସହଜରେ ୬୮ ରନ୍ରେ ପରାସ୍ତ କରିଛି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ଶୋଚନୀୟ ଭାବେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଦେଇଛି। ଏଥି ସହ ଶନିବାର ଦକ୍ଷିଣ ଆଫ୍ରିକା ସହ ଭାରତ ବାର୍ବାଡସ୍ରେ ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଛି। ଏହି ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଏହି ଫର୍ମାଟ୍ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା।
ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଇଂଲଣ୍ଡ । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।
ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ । ଅକ୍ଷର ପଟେଲ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।