ନବୀନଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର; ସ୍ବାସ୍ଥ୍ୟ, ନିର୍ବାଚନ, ଓଡ଼ିଆ ଅସ୍ମିତା ନେଇ ଖୋଲିଲେ ମୁହଁ
1 min readନିର୍ବାଚନ ପ୍ରଚାରରେ ଅସଲ କ୍ଷମତା ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ ବୋଲି ବିଜେପି ପ୍ରଚାର କରୁଥିଲା । ଗୁରୁବାର ଦିନ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ ପଟ୍ଟନାୟକ ଏନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ଆଉ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।
ତେବେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାରେ ପ୍ରକୃତ କ୍ଷମତା କାହା ପାଖରେ ଅଛି? ବୋଲି ପ୍ରଶ୍ନ କରିଥିଲେ, ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ ।
ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ କରି ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବାନେଇ କ୍ରମାଗତ ହାମଲା କରି ଆସୁଛି। ନିର୍ବାଚନରେ ଏହି ପ୍ରସଙ୍ଗ ମଧ୍ୟ ବିଜେଡି ପାଇଁ ବୁମେରାଂ ହୋଇଛି। ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ ବିଜେଡି କେବଳ ପାଣ୍ଡିଆନଙ୍କୁ ତାରକା ଭୂମିକାରେ ଓହ୍ଲାଇଛି ଓ ସେ ରାଜ୍ୟ ବ୍ୟାପି ପ୍ରଚାର କରିବା ସାଧାରଣରେ ଗ୍ରହଣୀୟ ହେଉ ନ ଥିବା ଜାଣି ନବୀନ ନିଜ ନୀରବତା ଭାଙ୍ଗିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସ୍ମିତା ପ୍ରକାଶ ଆହୁରି ପଚାରିଥିଲେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। ପୁଣି ସ୍ମିତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କହିଥିଲେ ଯେ, କାର୍ତ୍ତିକ ପାଣ୍ଡିଆନ ଉତ୍ତରାଧିକାରୀ ହେବେ କି ? ତାହା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ |
ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ପଚାରିଥିଲେ ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶ | ସେହି ମନ୍ତବ୍ୟରେ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରିପାରିଥାନ୍ତେ । ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ । ଯାହାର ଅର୍ଥ ହେଉଛି କେବଳ ଭୋଟ୍ ହାସଲ ପାଇଁ ସେ ଏଭଳି କରିଛନ୍ତି । ଏହି ଗୁଜବକୁ ଦିଲ୍ଲୀରେ ରହୁଥିବା ଜଣେ ବିଜେପି ନେତା ପ୍ରଚାର କରୁଛନ୍ତି । ମୋ ସ୍ୱାସ୍ଥ୍ୟ ଠିକ ଅଛି । ମୁଁ ଏହି ଖରାରେ ପ୍ରଚାର କରୁଛି । ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ଏହାକୁ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ଅତିରଂଜିତ କରି ପ୍ରଚାର କରୁଛନ୍ତି ।
ପରେ ନବୀନ ପଟ୍ଟନାୟକ ଓଡ଼ିଶାରେ ନିର୍ବାଚନ ପ୍ରଚାର କାଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରଚାର ଶୈଳୀକୁ ସମାଲୋଚନା କରିଥିଲେ | ନବୀନ କହିଥିଲେ, ଓଡ଼ିଶାବାସୀ ଏଭଳି ପ୍ରଚାର ସହିତ ଅଭ୍ୟସ୍ତ ନୁହନ୍ତି । ଶର୍ମାଙ୍କ ପ୍ରଚାର ଅରୁଚିକର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।