Pratidin TV

Odisha's Digital News Platform

ବାଦଲଫଟା ବର୍ଷାରେ ଉବୁଟୁବୁ ତାମିଲନାଡୁ,ସ୍କୁଲ କଲେଜ ଛୁଟିଘୋଷଣା..

ତାମିଲନାଡୁରେ ପ୍ରଳୟ ସୃଷ୍ଟି କରିଛି ବର୍ଷା । ଜୁଆଡେ ଦେଖିବ ଖାଲି ପାଣି ହିଁ ପାଣି । ବାଦଲ ଫଟା ବର୍ଷା ଯୋଗୁଁ ଉବୁଟୁବୁ ତାମିଲନାଡୁର ଦକ୍ଷିଣ ଜିଲ୍ଲା। ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହେଉଛି ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀ ଜିଲ୍ଲା। ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସବୁଠୁ ବେଶୀ ପ୍ରଭାବିତ ହୋଇଛି କନ୍ୟାକୁମାରୀ । ପ୍ରଭାବିତ ୪ ଜିଲ୍ଲାରେ ଏଡିଆରଏଫ ଟିମ୍ ମୁତୟନ କରାଯାଇଛି । ଏହାସହ ବର୍ଷାରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ବିମାନ ଓ ବନ୍ଦେ ଭାରତ ଟ୍ରେନ ବ୍ୟତିତ ଅନ୍ୟ ସବୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ପ୍ରଭାବିତ ୪ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି। ତିରୁନେଲବେଲି ଜିଲ୍ଲାରେ ବହୁ ଲୋକଙ୍କ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ସମେତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗରୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ତାମିଲନାଡୁର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ଷା ଜାରି ରହିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *