ବେକାରୀଙ୍କ ପାଇଁ ପ୍ରେରଣା ସାଜିଲେ କୃଷ୍ଣ , ଚାଷ ଆରମ୍ଭ କରି ରୋଜଗାର କରୁଛନ୍ତି ୫ ଲକ୍ଷ..
1 min readବରଗଡ : କଥାରେ ଅଛି ଚାଷ କାମ ଯାହାର ଭାରି ସୁଖ ତାହାର । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ୫୩ ବର୍ଷୀୟ ଚାଷୀ କୃଷ୍ଣ କୁମାର ପଟେଲ । ଘର ତାଙ୍କର ଛତିଶଗଡ଼ ରାଜ୍ୟ ଓ ବରଗଡ଼ ଜିଲ୍ଲା ଶେଷ ସୀମା ଉପାନ୍ତ ଅଞ୍ଚଳରେ ଥିବା ଅମ୍ବାଭୋନା ବ୍ଲକ ସାମପାଲି ଗାଁରେ । ସେ ପ୍ରଥମେ ତାଙ୍କର ୨୦ଏକର ଜମିରେ ଧାନଚାଷ କରୁଥିଲେ । ହେଲେ ଧାନଚାଷରେ ଯେତିକି ଖର୍ଚ୍ଚ ଏବଂ ପରିଶ୍ରମ କରୁଥିଲେ ସେତିକି ଲାଭ ମିଳୁନଥିଲା । ତେଣୁ ଧାନଚାଷ ବଦଳରେ ମାଛଚାଷ କରି କିଭଳି ସ୍ୱାବଲମ୍ବୀ ହେବେ ସେଥିପାଇଁ ଜିଲ୍ଲା ମତ୍ସ୍ୟବିଭାଗ ପାଖକୁ ଧାଇଁଥିଲେ କୃଷ୍ଣ । ବାସ ,ଏହାପରେ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ସବସିଡିରେ ପୋଖରୀ ଖନନ କରାଯିବା ପରେ ବଦଳି ଯାଇଛି ଚାଷୀଙ୍କ ଜୀବନ ଜୀବିକା । ନିଜର ୪ ଏକର ଜମିରେ ମାଛଚାଷ କରି ବର୍ଷକୁ ୫ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଗାଁର ବେକାର ଥିବା ୫ ଜଣ ଯୁବକଙ୍କୁ ବର୍ଷସାରା ଯୋଗାଉଛନ୍ତି କାମଧନ୍ଦା । ସାମପାଲି ଗାଁରୁ ଦେଖିବା ଏହି ମାଛ ଚାଷୀଙ୍କ ସଂଘର୍ଷର କାହାଣୀ ।
କୃଷ୍ଣ କୁମାର ପଟେଲ । ନବମ ପାସ କରିଥିବା ଏହି ୫୩ବର୍ଷୀୟଯୁବଚାଷୀ ମାଛ ଚାଷ କରି ଅମ୍ବାଭୋନା ବ୍ଳକ ପାଇଁ ଏକ ପ୍ରେରଣା ସାଜିଛନ୍ତି । କୃଷ୍ଣ କୁମାର ପ୍ରଥମେ ତାଙ୍କର ୨୦ଏକର ଜମିରେ ଧାନ ଚାଷ କରୁଥିଲେ । ଜଳସେଚନ ସୁବିଧା ନ ଥିବାରୁ ଧାନ ଚାଷ ନଷ୍ଟ ହୋଇଯାଉଥିଲା । ଧାନଚାଷରେ ଯେତିକି ଖର୍ଚ୍ଚ ଏବଂ ପରିଶ୍ରମ କରୁଥିଲେ ସେତିକି ଲାଭ ମିଳୁନଥିଲା । ଏମିତି ଦୁର୍ଦ୍ଦିନ ସମୟରେ ଧାନ ଚାଷ ବଦଳରେ ଅଣଧାନ ଚାଷ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ କୃଷ୍ଣ । ବରଗଡ଼ ଉଠାଜଳସେଚନ ବିଭାଜନ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ କରାଯିବା ପରେ ଦୂର ହୋଇଥିଲା ଜଳସେଚନ ସମସ୍ୟା । ଏହାପରେ ଜିଲ୍ଳା ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଓ ସବସିଡିରେ ପୋଖରୀ ଖନନ କରିବା ପରେ କୃଷ୍ଣ ୪ ଏକର ଜମିରେ କରିଥିଲେ ମାଛ ଚାଷ । ଆଉ ଏହାପରେ ବଦଳିଯାଇଛି କୃଷ୍ଣ କୁମାର ପଟେଲଙ୍କ ଜୀବନ ଜୀବିକା ।
ବରଗଡ଼ ଉଠାଜଳସେଚନ ବିଭାଜନ ଓ ଜିଲ୍ଲା ମତ୍ସ୍ୟ ବିଭାଗର ଟିକିଏ ସହୟତା ଚାଷୀଙ୍କୁ ଆଣି ଦେଇଛି ସଫଳତାର ବାଟ । ଏବେ ମରୁଡ଼ି ଚିନ୍ତା ନାହିଁ କି ପାଣି ଚିନ୍ତା ନାହିଁ । ସୁଇଚ ଟିପିଲା ମାତ୍ରେ ଗଭୀର ନଳକୂପରୁ ବାହାରୁଛି ପର୍ୟ୍ୟାପ୍ତ ପାଣି । ୨୦୧୭ମସିହାରୁ ପୋଖରୀକୁ ପାଣି ମଡ଼ାଇ ସେଥିରେ ମାଛ ଚାଷ କରି ବର୍ଷକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୃଷ୍ଣ କୁମାର । ତାଙ୍କର ଏହି ଚାଷ କାମରେ ପତ୍ନୀ ରଜନୀ ପଟେଲ ସହଯୋଗ କରି ସ୍ବାମୀଙ୍କୁ ଉତ୍ସାହିତ କରୁଛନ୍ତି । ମାଛ ଚାଷ କରି କୃଷ୍ଣ ନିଜେ ସ୍ବାବଳମ୍ବୀ ହେବା ସହିତ ଗାଁର ୫ଜଣ ବେକାର ଯୁବକଙ୍କୁ କରିଛନ୍ତି ରୋଜଗାରକ୍ଷମ । ଦୁଇ ବର୍ଷ ମହାମାରୀ କୋରୋନା ଯୋଗୁ ମାଛ ବ୍ୟବସାୟ ଠପ୍ ହୋଇପଡ଼ିଥିଲା । ଏବର୍ଷ ଭଲ ମାଛ ଚାଷ ହୋଇଛି । ହେଲେ ବଜାର ବ୍ୟବସ୍ଥା ନ ଥିବାରୁ କମ ଦାମରେ ଦଲାଲଙ୍କୁ ବିକ୍ରି କରିବାକୁ ପଡ଼ୁଛି । ସେପଟେ ସରକାରଙ୍କ ଟିକିଏ ସହାୟତା ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇଛି । ଜିଲ୍ଲାରେ କୃଷ୍ଣ କୁମାର ଚାଷୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ମାଛ ବିକ୍ରି ପାଇଁ ବଜାର ବ୍ୟବସ୍ଥା ଓ କୃଷ୍ଣ କୁମାର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଅମ୍ବାଭୋନା ବିଡିଓ କହିଛନ୍ତି ।