Pratidin TV

Odisha's Digital News Platform

ଚାଷୀମାନଙ୍କ ମୁହଁରୁ ଉଭେଇ ଯାଇଛି ହସ , ସବୁ ପରିଶ୍ରମକୁ ଧୂଳିସାତ୍ କରିଦେଇଛି ଚକୋଡା ପୋକ …

1 min read

ନୂଆପଡ଼ା ; ଏବେ ଧାନ ଅମଳର ସମୟ, ଏହି ସମୟରେ ସବୁଠୁ ଅଧିକ ଖୁସି ହୋଇଥାନ୍ତି ଚାଷୀ ଭାଇମାନେ କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ମୁହଁରୁ ଉଭେଇ ଯାଇଛି ହସ । ମହାମାରୀ ସାଜିଛି ଚକୋଡା ପୋକ। ଚରି ଯାଉଛି ଶହ ଶହ ହେକ୍ଟର ଚାଷ ଜମି। ଆଖି ଆଗରେ ମରି ଯାଉଥିବା ସୁନା ଫସଲକୁ ଦେଖି ଚାଷୀ ଲୁହ ଝରାଇବା ବ୍ୟତିତ କିଛି କରି ପାରୁନି।

ଅନେକ ଆଶା ନେଇ ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି। ଧାନ କେଣ୍ଡା ଧରି ଆସିବା ବେଳକୁ ରୋଗପୋକ ଲାଗି ଫସଲ ନଷ୍ଟ ହୋଇଯାଉଛି। ଯେତେ ପ୍ରକାର ଔଷଧ ଦେଲେ ମଧ୍ୟ ସୁଫଳତା ମିଳୁନାହିଁ। ଏବେ ସରକାରୀ ସହଯୋଗ ହିଁ ଏକ ମାତ୍ର ଭରସା ଚାଷୀ ଙ୍କ ପାଇଁ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷ ଜମି ସବୁରେ ରୋଗପୋକ ଲାଗିଥିବା ଅଭିଯୋଗ ହୋଇଛି। ବିଶେଷ କରି ଚକୋଡା ରୋଗ ଲାଗିବାରୁ ଧାନ ଗଛ ସବୁ ମରି ଯାଉଛି।ଏହି ରୋଗର ପୋକ ସବୁ ଧାନ ଗଛକୁ ଶୋଷଣ କରି ଦେଉଛନ୍ତି।ଚାଷୀ ମାନେ ନିଜ ଚେଷ୍ଟାରେ ଔଷଧ ଆଣି ଛିଞ୍ଚନ କରୁଛନ୍ତି କିନ୍ତୁ କୌଣସି ସୁଫଳତା ମିଳୁନାହିଁ। ଏବର୍ଷ ଭଲ ବର୍ଷା ହେବାରୁ ଭଲ ଅମଳର ଆଶା ରଖିଥିଲେ ଚାଷୀ। କିନ୍ତୁ ଚକୋଡା ପୋକ ତାଙ୍କ ଆଶାରେ ପାଣି ଭରି ଦେଇଛି। ପ୍ରଥମେ ପ୍ରଥମେ ଅଳ୍ପ ଅଳ୍ପ ଲାଗି ଏବେ ପୁରା ଜମିକୁ ଖାଇ ଯାଉଛି ଏହି ପୋକ। ଫଳରେ ଧାନ ଫସଲ ମରିଯିବା ସହ ଶୁଖି ଯାଉଛି। କୃଷି ଅଧିକାରୀଙ୍କ ପରାମର୍ଶରେ ଔଷଧ ସିଞ୍ଚନ କଲେ ମଧ୍ୟ ସୁଫଳତା ମିଳୁନାହିଁ।

Advertisement

ଖାଲି ଏହି ଗ୍ରାମ ପଞ୍ଚାୟତର ଚାଷୀ ନୁହଁନ୍ତି ଖଡ଼ିଆଳ ବ୍ଲକର ସବୁ ଗାଆଁରେ ଏହି ଅବସ୍ଥା ଦେଖିବାକୁ ମିଳୁଛି। ଚାଷୀ ମାନଙ୍କୁ ସବସିଡିରେ ବିହନ, ଔଷଧ ଓ ସାର ମିଳିବାର ନିୟମ ଥିଲେ ମଧ୍ୟ ସମସ୍ତେ ଏସବୁ ସବିଧା ପାଇ ପାରୁ ନାହାନ୍ତି। ଧାର କରଜ ଓ ବ୍ୟାଙ୍କ ଋଣ କରି ଚାଷୀ ମାନେ ଏବେ ଚିନ୍ତାରେ, ବର୍ଷ ବର୍ଷ ଏ ଅଞ୍ଚଳ ମରୁଡ଼ିର ଶିକାର ହେଉଥିବା ବେଳେ ଏବର୍ଷ ଭଲ ବର୍ଷା ହୋଇଥିଲା।ଭଲ ଫସଲର ଆଶା ରଖିଥିଲେ ସମସ୍ତେ କିନ୍ତୁ ଏବେ ରୋଗ ପୋକ ପାଇଁ ସବୁ ଆଶା ଫସର ଫାଟି ଯାଉଛି।ଅତିଶୀଘ୍ର ରୋଗ ପୋକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନକଲେ ଚାଷୀଙ୍କ ଭେଳା ବୁଡିଯିବ,ଏହା ନିଃସନ୍ଦେହ। ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କୁ ପଚାରିବାରୁ କିଛି ଜମିରେ ରୋଗପୋକ ଲାଗିଥିବା ସ୍ୱୀକାର କରି ଚାଷୀ ମାନଙ୍କୁ ସବସିଡିରେ ଔଷଧ ଯୋଗାଇ ଦିଆଯାଉଥିବା ସୂଚନା ଦେଇଥିଲେ ଓ ଠିକ୍ ଭାବରେ ଚାଷୀ ଔଷଧ ସିଞ୍ଚନ କରୁ ନଥିବାରୁ ରୋଗ ବଢ଼ିଥିବା କହିଥିଲେ।

Leave a Reply

Your email address will not be published. Required fields are marked *