Pratidin TV

Odisha's Digital News Platform

ଶାଶୁଘର ଲୋକେ ଦେଉଥିଲେ ନିର୍ଯ୍ୟାତନା , ଝିଅକୁ ବାଜା ବଜାଇ ରୋଷଣୀ ଫୁଟାଇ ଘରକୁ ଫେରାଇ ଆଣିଲେ ବାପା ..

1 min read

ବାଜା ବଜାଇ ରୋଷଣୀ ଫୁଟାଇ ଶାଶୂଘରୁ ବାପଘର ଗଲା ଝିଅ । ଛାଡପତ୍ର ପରେ ନିଜ ଅଲିଅଳି ଝିଅକୁ ସମ୍ମାନର ସହ ଘରକୁ ଫେରାଇ ନେଲେ ବାପା । କଥାରେ ଅଛି ଝିଅ ଜନମ ପର ଘରକୁ । ‘ଦେଲୁ ନାରୀ ହେଲୁ ପାରି’ ଝିଅକୁ ବାହାଦେଇ ସାରିବା ପରେ ବାପା ମାଙ୍କ କର୍ତ୍ତବ୍ୟ ସରିଗଲା ପରି କିଛି ଅନ୍ଧ ମାନସିକତା ଆଜି ପର୍ଯ୍ୟନ୍ତ ଆମର ପୁରୁଷ ପ୍ରଧାନ ସମାଜରେ ରହିଛି । ଝିଅଟିକୁ ବାହା ଦେଇଦେଲେ ଯେପରି ବାପାମା’ଙ୍କ ମୁଣ୍ଡରୁ ଗୋଟେ ବଡ଼ ବୋଝ ଓହ୍ଲାଇ ଯାଏ । ହେଲେ ବିବାହ ପରେ ଯଦି ଶାଶୂଘର ଲୋକେ ସେହି ଝିଅଟିକୁ ନଆପଣାଇ ନିର୍ଯାତନା ଦିଅନ୍ତି, କଥା କଥାକେ ଲାଞ୍ଚନା ଦିଅନ୍ତି କେଉଁ ବାପାର ହୃଦୟ ବା ତାକୁ ସହ୍ୟ କରିପାରିବ । ଉତ୍ତରପ୍ରଦେଶ କାନପୁରରେ ଏଭଳି ଏକ ଘଟଣା ଘଟିଛି, ଯାହା ଏହି ପୁରୁଷ ପ୍ରାଧାନ୍ୟ ସମାଜକୁ ଏକ ଉଚିତ ଶିକ୍ଷା କହିଲେ ଚଳେ । ନିରାଲା ନଗରରେ ରହୁଥିବା ଅନିଲ ସବିତା ବିଏସ୍‌ଏନ୍‌ଏଲ୍‌ର ଅବସରପ୍ରାପ୍ତ କର୍ମଚାରୀ ।

୨୦୧୬ ଜାନୁଆରୀ ୩୧ରେ ସେ ନିଜର ଏକମାତ୍ର ଝିଅ ଉର୍ବିଙ୍କ ବିବାହ ଚେକରୀ ବିମାନନଗରରେ ରହୁଥିବା ଆଶିଷ ରଞ୍ଜନଙ୍କ ସହ କରିଥିଲେ । ଉର୍ବି ପେସାରେ ଜଣେ ଇଞ୍ଜିନିୟର ଥିଲେ । ସେ ଦିଲ୍ଲୀରେ ପାଲମ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ । ସେହିଭଳି ଆଶିଷ ମଧ୍ୟ ଇଞ୍ଜିନିୟର ଥିଲେ । ଦିଲ୍ଲୀରେ କାମ କରୁଥିଲେ । ଉଭୟ ଦିଲ୍ଲୀରେ ରହୁଥିଲେ ହେଁ ଆଶିଷଙ୍କ ପରିବାରଲୋକେ ର୍କା ଏବଂ ଫ୍ଲାଟ୍ ଦାବି କରୁଥିଲେ । ଏହାଛଡ଼ା ଉର୍ବିଙ୍କ ରଙ୍ଗକୁ ନେଇ ମଧ୍ୟ କଟାକ୍ଷ କରୁଥିଲେ । ଲଗାତାର ଭାବେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିବା ଦେଖି ସେ ବାପା ମଧ୍ୟ ତାଙ୍କୁ ଏକ ଫ୍ଲାଟ୍ କିଣି ଦେଇଥିଲେ । ହେଲେ ଉର୍ବିଙ୍କ ସ୍ୱାମୀ ଆଶିଷ ଘରକୁ ନିଜ ନାମରେ କରିବାକୁ ଚାହୁଁଥିଲେ ।

Advertisement

୨୦୧୯ରେ ଉର୍ବିଙ୍କର ଏକ ଝିଅ ହୋଇଥିଲା । ଏହାକୁ ନେଇ ସ୍ୱାମୀ ଏବଂ ପରିବାରଲୋକେ କଟାକ୍ଷ କରୁଥିଲେ । କାରଣ ତାଙ୍କୁ ପୁଅ ଦରକାର ଥିଲା । ଏପରିକି ସେ ଉର୍ବି ଏବଂ ଝିଅଙ୍କଠାରୁ ଦୂରେଇ ଯାଇ ଅଲଗା ରହିଥିଲେ । ଫେବୃଆରୀ ୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଏହାପରେ ଗତ ରବିବାର ଉର୍ବିଙ୍କ ବାପା ନିଜର ସମ୍ପର୍କୀୟଙ୍କ ସହ ସମୁଦି ଘରେ ପହଞ୍ଚିଥିଲେ । ସେଠାରେ ସେ ଢ଼ୋଲ ବଜାଇ ନିଜ ଝିଅକୁ ଘରକୁ ଆଣି ଆସିଥିଲେ । ଉର୍ବି ଶାଶୁଘର ଫାଟକରେ ଓଢ଼ଣୀ ବାନ୍ଧିଥିଲେ । ଏପରିକି ଉର୍ବିଙ୍କ ଭାଇମାନେ ଆଶିଷଙ୍କ ଘରକୁ କେବେ ହେଲେ ଖୁସି ନ ଫେରୁ ବୋଲି ତାଙ୍କ ଘରର କାନ୍ଥରେ ଲେଖିଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେଉଛି । ସାଧାରଣତଃ ଝିଅଟିଏ ବିବାହ ସମୟରେ ବ୍ୟାଣ୍ଡ୍ ବାଜା ସହ ବର ଆସେ ବିବାହ ପାଇଁ । ହେଲେ ଗୋଟେ ଝିଅ ବାଜା ରୋଷଣୀ ସହ ବାପଘରକୁ ଫେରିଯିବା ଘଟଣା ଦେଖିନଥିବେ । ଏବେ ଜଣେ ବାପା ତାଙ୍କ ଝିଅକୁ ଶାଶୂଘରୁ ଏପରି ଫେରାଇ ଆଣିବା ପରେ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ଏଭଳି କିଛି ବାପାଙ୍କର ସାହସିକ ପଦକ୍ଷେପ ହୁଏତ ଆଗାମୀ ସମୟରେ ପୁରୁଷପ୍ରାଧାନ୍ୟ ସମାଜକୁ ନୂଆ ବାଟ ଦେଖାଇପାରେ ।

Leave a Reply

Your email address will not be published. Required fields are marked *