Pratidin TV

Odisha's Digital News Platform

ବାପା ବିଶ୍ୱାସ ବଞ୍ଚାଇଲା ବିଶ୍ୱଜିତ ଜୀବନ ; ଶବ ଗଦାରୁ ଜୀବନ୍ତ ବାହାରିଲା ପୁଅ …

ବାଲେଶ୍ୱର : ବାପାର ଭଲପାଇବା ଆଗରେ ହାର ମାନିଲା ମୃତ୍ୟୁ । ଜୀବନ ମରଣର ଦୋଛକିରୁ ପୁଅକୁ ବଞ୍ଚାଇ ଆଣିଲା ବାପା । କୁହନ୍ତିନି ରଖିବ ହରିତ ମାରିବ କିଏ ? ଆଜି ଏହି ଉକ୍ତିଟି ସମୂର୍ଣ୍ଣ ସତ ପ୍ରମାଣ ହୋଇଛି । କୁଢ କୁଢ ଶବ ଗଦାରୁ ଜୀବନ୍ତ ବାହାରିଲା ମୃତ ବିଶ୍ୱଜିତ । ଶୁଣିବାକୁ ଟିକେ ଅଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।ବାହନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ନିଜ ପରିବାରର ପ୍ରିୟଜନକୁ ହରାଇ ଭାଙ୍ଗିପଡିଥିବା ବେଳେ । ପଶ୍ଚିମବଙ୍ଗର ୨୪ ବର୍ଷିୟ ଯୁବକଙ୍କ ବାପା କିନ୍ତୁ ହାର ମାନିନଥିଲେ । ମନରେ କେବଳ ଗୋଟିଏ ଲକ୍ଷ୍ୟ ଆଉ ଦୃଢ ବିଶ୍ୱାସ ମୋ ପୁଅ ଜୀବିତ ଥିବା । ଯାହାବି ହେଉ ମୁଁ ତାକୁ ଜୀବିତ ଫେରାଇ ଆଣିବି।

ଶୁକ୍ରବାର ଦିନ ଶାଲିମାର୍ ଷ୍ଟେସନ୍ରେ ପୁଅ ବିଶ୍ୱଜିତ କରମଣ୍ଡଳ ଏକ୍ସପ୍ରେସରେ ବସାଇଥିଲେ ବାପା ହେଲାରାମ । ଏହାର କିଛି ଘଣ୍ଟା ପରେ ତାଙ୍କ ପାଖରେ କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଖବର ପହଞ୍ଚି ଥିଲା। ଯାହାକୁ ଶୁଣି ପ୍ରଥମେ ବ୍ୟତିବେସ୍ତ ହୋଇପଡିଥିଲେ ବାପା ହେଲାରାମ । ଯେତେ ମନ ବଳ ଜୁଟାଇଲେବି ସମୁଦ୍ର କୂଳରେ ପାଦତଳୁ ଢେଉ ଗୁଡାକ ମାଟି ଖସାଇଲା ଭଳି ମନରେ ସବୁ ଆଶା ଭାଙ୍ଗୁଥାଏ ଦୁଃଖ । ଏକମାତ୍ର ପୁଅକୁ ଜୀବନ୍ତ ଆଉ ଫେରିପାଇବେ କି ନାହିଁ ଭାବି ଭାବି ଆଖିରୁ ଝରିଯାଉଥାଏ କୋହଭରା ଲୁହ ।

ତେବେ ଏସବୁ ଭିତରେ ମନକୁ ଦୃଢ କରି ବାହାରି ପଡିଲେ ହେଲା ରାମ ନିଜ ପୁଅକୁ ଖୋଜିବାକୁ । ପାଖାପାଖି ୨୩୦ କିଲୋମିଟର ଅତିକ୍ରମ କରି ପହଞ୍ଚିଲେ ବାଲେଶ୍ୱର ବାହାନଗା ଷ୍ଟେସନ ରେ । ସେଠାରେ ଅନେକ ଅଧିକାରୀ ଙ୍କୁ ପଚରା ଉଚରା କରି ବାଲେଶ୍ୱର ସୋର ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ ନିରାଶ ହୋଇ ଫେରିଥିଲେ । ଶେଷରେ କେହି ଜଣେ ତାଙ୍କୁ ବାଲେଶ୍ୱର ବାହାନଗା ହାଇସ୍କୁଲରେ ଥିବା ମୃତଦେହରେ ପୁଅକୁ ଖୋଜିବାକୁ କହିଥିଲେ । କିନ୍ତୁ ସେଇଠି ଥମ୍ କରି ବସିପଡିଥିଲେ ହେଲାରାମା । ସବୁ ଦୃଢ ବିଶ୍ୱାସ ଯେମିତି କିଛି ସେକେଣ୍ଡରେ ଚୁନ୍ନା ହୋଇଯାଇଥିଲା । ତେବେ ହଠାତ୍ ମନର କେଉଁ କୋଣରେ ଶୁଭିଥିଲା ପୁଅର କରୁଣ ସ୍ୱର ବାପା ମତେ ବଞ୍ଚାଓ … ପୁଣି ଏକ ବିଶ୍ୱାସ ଜାଗିଉଠିଥିଲା ହେଲାରାମଙ୍କ ମନରେ ଯେ ପୁଅ ଯେଉଁଟି ବି ଥିବ ଜୀବିତ ଥିବା । ବାସ୍ ସେଠୁ ଧଡପଡ୍ ହୋଇ ଉଠିପଡିଥିଲେ ହେଲାରାମ୍ । କିନ୍ତୁ ସ୍କୁଲ ଭିତରେ ଥିବା ଡେଡବଡି ପାଖକୁ ଛାଡିନଥିଲେ ପୋଲିସ ଅଧିକାରୀ । କିନ୍ତୁ ଟିକିଏ ପରେ ସେଠାରେ ଜଣେ ଅଧିକାରୀ କହିଥିଲେ ଯେ ଶବ ଭିତରେ ଜଣଙ୍କର ହାତ ଥରୁଛି । ବାସ୍ ଏତିକିରେ ହେଲାରାମ୍ ଚିଲ୍ଲାଇ କହିଥିଲେ ସେ ମୋ ପୁଅ ବିଶ୍ୱଜିତ୍ ସାର୍ ଛାଡନ୍ତୁ ମତେ । କୁହନ୍ତି ବାପା ମାଁ ଚଳନ୍ତା ଠାକୁର । ସତରେ ଏଠି ହେଳାରାମ ନିଜ ପୁଅ ପାଇଁ ଭଗବାନଙ୍କ ସ୍ୱରୁପରେ ଆସିଥିଲେ ।

ବାସ୍ ଭିତରକୁ ଯାଇଁ କୁଢ କୁଢ ଶବ ଭିତରେ ନିଜ ପୁଅକୁ ଠିକ୍ ଚିହ୍ନି ପାରିଥିଲେ ହେଲାରାମ । ପୁଅ ମଧ୍ୟ ବାପାକୁ ନିଜ ଥକ୍କା ଆଖିରେ ଅନାଇ ବେହୋସ ହୋଇପଡିଥିଲା । ତୁରନ୍ତ ତାକୁ ଆମ୍ବୁଲାନ୍ସ୍ରେ ବାଲେଶ୍ୱର ହସ୍ପିଟାଲ ନେଇଯାଇଥିଲେ ହେଳାରାମ୍ । ସେଠାରେ ତାକୁ କିଛି ଇଞ୍ଜେକ୍ସନ୍ ଦେବାପରେ କଟକ ବଡ଼ ମେଡିକାଲ୍କୁ ରେଫର୍ କରିଥିଲେ ଡାକ୍ତର । କିନ୍ତୁ ପୁଅକୁ ଅନ୍ୟ ରାଜ୍ୟରେ ଛାଡ଼ି ଯିବାପାଇଁ ଠିକ୍ ମନେ କରିନଥିଲେ ବାପା । ବାଲେଶ୍ୱର ଡାକ୍ତରଖାନାରୁ ଡିସ୍ଚାର୍ଜ କରାଇ ଅଚେତ ହୋଇପଡ଼ିଥିବା ବିଶ୍ୱଜିତକୁ ଆମ୍ବୁଲାନ୍ସ୍ରେ ନେଇ କୋଲ୍କାତା ଫେରି ଯାଇଥିଲେ । ଆଉ ସେଠାରେ ତା’ପର ଦିନ ସକାରେ ୮.୩୦ରେ ଏସ୍ଏସ୍କେଏମ୍ ହସ୍ପିଟାଲରେ ଆଡ଼ମିଟ୍ କରିଥିଲେ । କୋଲ୍କାତାର ଏସ୍ଏସ୍କେଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିଶ୍ୱଜିତଙ୍କର ଏବେ ସୁଦ୍ଧା ଚେତା ଫେରିନାହିଁ । ରବିବାର ଦିନ ତାଙ୍କ ପାଦରେ ଅସ୍ତ୍ରୋପଚାର କରାଯାଇଛି । ଏବେ ସେ ଗୁରୁତର ଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *