Pratidin TV

Odisha's Digital News Platform

ଫିପା ବିଶ୍ୱକପ୍ : ପୁଣି ଜଲୱା ଦେଖାଇଲେ ମେସି , ଫାଇନାଲକୁ ଗଲା ଆର୍ଜେଣ୍ଟିନା ..

1 min read

କତାର : ପୁଣି ନିଜର ଜଲୱା ଦେଖାଇଲେ ମେସି । କତାରରେ ଚାଲିଥିବା ବିଶ୍ୱକପ୍ ସେମିଫାଇନ ଜିତି ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି । କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଛି ।

ତେବେ ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୧୩ତାରିଖରେ ଲୁସେଲ ଷ୍ଟାଡିୟମ୍ ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ମେସି ଗୋଟିଏ ଗୋଲ କରିଥିବା ବେଳେ ଆଉ ଗୋଟିଏରେ ସହଯୋଗ କରିଥିଲେ। ଆର୍ଜେଣ୍ଟିନାର ଅନ୍ୟତମ ଷ୍ଟାର ଖେଳାଳି ଜୁଲିଆନ ଆଲଭାରେଜ ଦୁଇଟି ଗୋଲ ସ୍କୋର କରିଛନ୍ତି।

ସୂଚନା ଅନୁଯାୟୀ ଆଜି ରାତି ୧୨.୩୦ ରେ ଦ୍ୱିତୀୟ ସେମିରେ ମରକ୍କୋ ଓ ୨୦୧୮ରେ ବିଶ୍ୱକପ ଜିତିଥିବା ଫ୍ରାନ୍ସ ମୁହାଁମୁହିଁ ହେବେ। ସେହିପରି ଶନିବାର କ୍ରୋଏସିଆ ତୃତୀୟ ସ୍ଥାନ ପାଇଁ ମରକ୍କୋ କିମ୍ବା ଫ୍ରାନ୍ସ ମଧ୍ୟରୁ ଜଣଙ୍କ ସହ ଖେଳିବ।ଏହି ବିଜୟ ସହ ଏଯାଏ ୨ ଥର ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା ୩ୟ ଥର ପାଇଁ ଟ୍ରଫିର ନିକଟର ହୋଇଛି ।

ଆର୍ଜେଣ୍ଟିନା –କ୍ରୋଏସିଆ ମ୍ୟାଚ ଆରମ୍ଭରୁ ହିଁ ଲୋକମାନଙ୍କ ମନରେ ଭରି ଯାଇଥିଲା ବେଶ୍ ଉତ୍ସାହ । ତେବେ ଖେଳ ଆରମ୍ଭରୁ ହିଁ ବେଶ୍ ରୋମାଞ୍ଚକର ଥିଲା । ତାନାଘନା ଆଟାକ୍ ଓ କାଉଣ୍ଟରେ ଲୁସେଲ ଷ୍ଟାଡିୟମ କମ୍ପମାନ ହେଉଥିଲା । ମ୍ୟାଚ୍‌ର ୩୪ତମ ମିନିଟ୍ରେ ଆର୍ଜେଣ୍ଟିନାକୁ ମିଳିଥିଲା ପେନାଲ୍ଟି କିକ୍। ଜୁଲିଆନ୍ ଆଲ୍ଭାରେଜ୍ କ୍ରୋଏସିଆ ଡି’ ଭିତରେ ଥିବା ବେଳେ ଗୋଲ କିପର ଡୋମିନିଚ୍ ଲିଭାକୋଭିଚ୍ ତାଙ୍କୁ ଅଟକାଇବା ପାଇଁ ଫାଉଲ ମାରିଥିଲେ। ଏଥିପାଇଁ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା। ଏହାକୁ ମେସି ଅତି ସହଜରେ ଗୋଲ୍ରେ ପରିଣତ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ।
ମ୍ୟାଚ୍ର ୩୯ତମ ମିନିଟ୍ରେ ଆଲଭାରେଜ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ଗୋଲ କରି ହାଫଟାଇମ ସୁଦ୍ଧା ଆର୍ଜେଣ୍ଟିନାକୁ ୨-୦ରେ ଆଗୁଆ କରି ଦେଇଥିଲେ। ଲୁକା ମୋଡ୍ରିଚ୍ଙ୍କ କ୍ରୋଏସିଆ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣଭାଗକୁ ଭେଦ କରିବା ଦଳ ପକ୍ଷେ ସମ୍ଭବ ହୋଇ ନଥିଲା।

ଦଳ ଚାପ ଅନୁଭବ କରୁଥିବା ବେଳେ ଏହାର ଫାଇଦା ୭୧ତମ ମିନିଟ୍ରେ ପୁଣି ଆର୍ଜେଣ୍ଟିନା ଉଠାଇଥିଲା। ମେସି ଓ ଆଲଭାରେଜଙ୍କ ଯୋଡ଼ି ମିଳିତ ଭାବେ ତୃତୀୟ ଗୋଲ ସ୍କୋର କରିଥିଲେ। ମେସି ବେଶ ଚମତ୍କାର ଢଙ୍ଗରେ କ୍ରୋଏସିଆ ରକ୍ଷଣ ଭାଗକୁ ଭେଦ କରି ଡି’ ମଧ୍ୟରେ ପହଞ୍ଚିଥିଲେ। ଏହାକୁ ଅଟକାଇବା ପାଇଁ ଲିଭାକୋଭିଚ୍ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଚକମା ଦେଇ ମେସି ବେଶ ସୁନ୍ଦର ଭାବେ ଆଲଭାରେଜଙ୍କୁ ବଲ ପାସ କରିଥିଲେ। ସେ ମଧ୍ୟ କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଦେଇଥିଲେ। ଏଥିସହ ଆର୍ଜେଣ୍ଟିନା ୩-୦ରେ ଆଗୁଆ ହୋଇ ଯାଇଥିଲା।୦-୩ରେ ପଛୁଆ ଥିବା କ୍ରୋଏସିଆ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଏହା ସମ୍ଭବ ହୋଇ ପାରି ନଥିଲା। ଶେଷରେ ଆର୍ଜେଣ୍ଟିନା ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।

Leave a Reply

Your email address will not be published. Required fields are marked *