ନିଲମ୍ବନ ପରେ ମୁମ୍ବାଇରେ ମାମଲା: ନୂପୂର ଶର୍ମାଙ୍କୁ ପୋଲିସର ସମନ
1 min readନୂଆଦିଲ୍ଳୀ: ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ନୂନୂର ଶର୍ମାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ବର୍ତ୍ତମାନ ମୁମ୍ବାଇ ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି । ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା କାରଣରୁ ମୁମ୍ବାଇରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନୂପୂର ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ମହମ୍ମଦଙ୍କ ବିରୋଧରେ ବୟାନ ଦେଇଥିଲେ । ଏହି ବୟାନକୁ ବିଭିନ୍ନ ଇସଲାମିକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା ।
ଏହାପରେ ରବିବାର ବିଜେପି ପକ୍ଷରୁ ମୁଖପାତ୍ର ନୂପୂର ଶର୍ମାଙ୍କୁ ନିଲମ୍ବନ କରାଯାଇଥିଲା । ଇସଲାମ ବିରୋଧୀ ବୟାନ କାରଣରୁ ନୂପୂରଙ୍କୁ ବିଜେପି ପକ୍ଷରୁ ନିଲମ୍ବନ କରାଯାଇଥିବା ବିଜେପି ସଫେଇ ଦେଇଥିଲା । ଏହି ବୟାନ ପରେ ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖା ଦେଇଥିଲା । ପିଏଫ୍ଆଇ ପକ୍ଷରୁ ହିଂସାକାଣ୍ଡ କରାଯାଇଥିବା ବେଳେ ୨୯ ପୋଲିସ କର୍ମୀଙ୍କ ସମେତ ୪୦ ଜଣ ଆହତ ହୋଇଥିଲେ । ନୂପୂରଙ୍କ ସହିତ ବରିଷ୍ଠ ବିଜେପି ନେତା ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଗଲ୍ଫ ରାଷ୍ଟ୍ର ଗୁଡିକ ସମେତ ଇରାକ୍, ଇରାନ୍, କୁଏତ୍, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍, ମଲଡିଭସ, ଲିବ୍ୟା ଏବଂ ଇଣ୍ଡୋନେସିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ରାଷ୍ଟ୍ରଗୁଡିକ ନିଜ ରାଷ୍ଟ୍ରଦୂତ ମାନଙ୍କ ଜରିଆରେ ବିରୋଧ ପ୍ରଦର୍ଶନ କରିଥିଲେ ।