Pratidin TV

Odisha's Digital News Platform

ବିବାହ ଭୋଜି ଖାଇ ଫେରୁଥିଲେ , ଆଧାବାଟରେ ଚାଲିଗଲା ପୁରା ପରିବାରର ଜୀବନ …

1 min read

ବିବାହ ଭୋଜିରୁ କେତେ ଖୁସିରେ ଘରକୁ ଫେରିଥିଲେ ସମସ୍ତେ । ଗାଡି ଭିତରଟା ହସ ଖୁସିରେ ଫାଟି ପଡୁଥିଲା । ହେଲେ ମାତ୍ର କିଛି ମିନିଟ୍ ଭିତରେ ସବୁକିଛି ଓଲଟପାଲଟ ହୋଇଗଲା । ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ କରି ପରିବାରର ସବୁ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ । ରାଜସ୍ଥାନ ବିକାନେର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ନୋଖା ପୋଲିସ ଷ୍ଟେସନ ଅଞ୍ଚଳରେ ଭାରତମାଳା ଏକ୍ସପ୍ରେସୱେରେ ଥିବା ନୌରଙ୍ଗସେଦର-ରସିସର ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସକାଳେ ରସିସର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ସମସ୍ତ ମୃତ ବ୍ୟକ୍ତି ଗୁଜୁରାଟର ବାସିନ୍ଦା ବୋଲି କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଅଧୀକ୍ଷକ ତେଜସ୍ୱିନୀ ଗୌତମ ଘଟଣାସ୍ଥଳରେ ପହଞ୍ଚିଥିଲେ ।


ଟ୍ରକ ଏବଂ ସ୍କର୍ପିଓ ମଧ୍ୟରେ ଧକ୍କାରେ ସେଥିରେ ଥିବା ୫ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ମୃତକଙ୍କ ମୃତଦେହକୁ ନୋହା ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କଳା ରଙ୍ଗର ସ୍କର୍ପିଓ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଶ୍ରୀଗଙ୍ଗାନଗରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ତ କଳାରଙ୍ଗର ସ୍କର୍ପିଓ ରେ ଗୁଜରାଟର କଚ୍ଚ୍ ଅଞ୍ଚଳର ସେମାନେ ଘରକୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ରାଜପଥରେ ଏହି କାର୍ ଟି ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଚାଲିଯାଇଥିଲା ୫ ଜୀବନ ।

Advertisement

ସବୁଠାରୁ ଦୁଃଖଦ କଥା ହେଲା, ମୃତ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ହେଉଛନ୍ତି ଗୋଟିଏ ପରିବାରର ଏବଂ ସମସ୍ତେ ପେଶାରେ ଡାକ୍ତର । ସେମାନେ ହେଲେ ଡାକ୍ତର ପ୍ରତୀକ, ତାଙ୍କ ସ୍ତ୍ରୀ ଡାକ୍ତର ହେତଲ୍‌, ଡାକ୍ତର ପୂଜା ଓ ତାଙ୍କ ସ୍ୱାମୀ ଡାକ୍ତର କରଣ । ମୃତକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ କନ୍ୟାଟି ରହିଛି । ମୃତ ଶିଶୁଟି ହେଉଛି ପୂଜା ଓ କରଣଙ୍କ ଝିଅ । ସୂଚନାନୁଯାୟୀ, ଏହି ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ରାଜପଥରେ ଭୀଷଣ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା । ଏପରି ଏକ ଦୁଃଖଦ ଘଟଣା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *