Pratidin TV

Odisha's Digital News Platform

ବାୟୁସେନାର ଏୟାର ଶୋ’ ଦେଖିବା ବେଳେ ଅଘଟଣ, ଚାଲିଗଲା ୫ ଦର୍ଶକଙ୍କ ଜୀବନ

1 min read

ଚେନ୍ନାଇ ଏୟାର ସୋରେ ବଡ ଅଘଟଣ। ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଆୟୋଜିତ ଏୟାର ସୋ କାର୍ଯ୍ୟକ୍ରମରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ୫ ଦର୍ଶକ। ୨୩୦ରୁ ଅଧିକ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରବିବାର ବାୟୁସେନାର ଏୟାର ଶୋ’ ଦେଖିବାକୁ ଚେନ୍ନାଇର ମରିନା ବିଚ୍‌ରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଥିଲେ। ଏହି ଏୟାର ଶୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍‌ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

Advertisement

ମାରିନା ବିଚରେ ଭାରତୀୟ ବାୟୁସେନାର ଚମତ୍କାର ପ୍ରଦର୍ଶନକୁ ଅବଲୋକନ କରିବା ଲାଗି ଲକ୍ଷ ଲକ୍ଷ ଦର୍ଶକ ଗୋଟିଏ ସ୍ଥାନରେ ସମବେତ ହୋଇଥିଲେ। ତେବେ ଅଧିକ ଉତ୍ତାପ ଓ ଭିଡ ଯୋଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବ୍ଯାପକ ଟ୍ରାଫିକ ସମସ୍ଯା କାରଣରୁ ଲକ୍ଷାଧିକ ଲୋକ ବିଭିନ୍ନ ସ୍ଥାନରେ ଫସିଯାଇଥିଲେ। ଚେନ୍ନାଇର ଅଧିକାଂଶ ସ୍ଥାନରେ ଏହି ସମସ୍ଯା ଦେଖାଦେଇଥିଲା। ଦିନ ୧୧ଟାରୁ ଏୟାର ସୋ ସ୍ଥାନରେ ପ୍ରାୟ ୧୬ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଏପରିକି ଅନେକ ବୟସ୍କ ଲୋକ ବି ଏହି ସୁଯୋଗକୁ ହାତଛଡ଼ା ନ କରିବା ଲାଗି ସେଠାରେ ସମବେତ ହୋଇଥିଲେ। ସ୍ଥାନୀୟ ଇଲାକାରେ ପାନୀୟ ଜଳର ଘୋର ଅଭାବ ଯୋଗୁ ଅନେକ ଲୋକଙ୍କ ଅବସ୍ଥା ସଂଗୀନ ହୋଇପଡିଥିଲା। ଅନେକ ଲୋକ ସ୍ଥିତି ସହି ନପାରି ରୋଡ ଉପରେ ହିଁ ବସିଯାଇଥିଲେ। ଏହି ସୋରେ ୭୨ଟି ବିମାନ ସାମିଲ ହୋଇଥିଲେ। ଭେଲାଚେରୀ ଏମଆରଟିଏସ ରେଳଷ୍ଟେସନରେ ବି ନାହିଁ ନଥିବା ସମସ୍ଯା ସୃଷ୍ଟି ହୋଇଥିଲା।

ପୋଲିସ କହିବା ମୁତାବକ ମାରିନା ବେଳାଭୂମି ନିକଟସ୍ଥ ଲାଇଟହାଉସ ମେଟ୍ରୋ ଷ୍ଟେସନ ନିକଟରେ ଲୋକଙ୍କ ଭିଡ ଏମିତି ଜମିଥିଲା ଯେ, ପାଦ ପକାଇବାକୁ ଜାଗ ନଥିଲା। ଏହି ଘଟଣା ପରେ ଲୋକମାନେ ଯୋଜନା ଏବଂ ପ୍ରସ୍ତୁତିର ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଏୟାର ଶୋ’ରେ ସ୍ପେଶାଲ୍ ଗରୁଡ଼ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଫେଲ ସମେତ ୭୨ ଟି ବିମାନ, ଅତ୍ୟାଧୁନିକ ଭାବରେ ନିର୍ମିତ ଅତ୍ୟାଧୁନିକ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍, ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରାକାନ୍ ଏବଂ ହେରିଟେଜ୍ ବିମାନ ଡାକୋଟା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଏୟାର ଶୋ’ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଲୋକ ସମୁଦ୍ର କୂଳରେ ଏକାଠି ହୋଇଥିଲେ।

Leave a Reply

Your email address will not be published. Required fields are marked *