Pratidin TV

Odisha's Digital News Platform

ଶେଷ ପର୍ଯ୍ୟାୟ ପାଇଁ ନବୀନ-ମୋଦି ଟ୍ୱିଟ କରି ଭୋଟ ପାଇଁ ଜନସାଧାରଣଙ୍କୁ କଲେ ଅପିଲ

1 min read

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପରେ ଆଜି ଅନୁଷ୍ଠିତ ହେବ ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ । ଆଜି ଓଡିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ୬ ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ସେହିପରି ୪୨ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବେ ଜନତା ।

ତେବେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା ବୋଲି ଟ୍ବିଟ କରି କହିଛନ୍ତି ନବୀନ ।

ଅନ୍ୟପଟେ ଦେଶରେ । 8 ରାଜ୍ୟର 57 ସଂସଦୀୟ ଆସନରେ ସକାଳୁ ଭୋଟିଂ ଆରମ୍ଭ ହୋଇସାରିଛି । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ଉତ୍ତର ପ୍ରଦେଶର ବାରାଣସୀ ମଧ୍ୟ ରହିଛି । ପ୍ରତ୍ୟେକ ଥର ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ଟ୍ୱିଟ କରି ମତଦାତାଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, ‘‘ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ, ଆମର ଯୁବକ ଏବଂ ମହିଳା ଭୋଟରମାନେ ଭୋଟ୍ ଦେବା ପାଇଁ ରେକର୍ଡ ସଂଖ୍ୟାରେ ଆଗେଇ ଆସିବେ । ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ।’’

Leave a Reply

Your email address will not be published. Required fields are marked *