ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ
1 min readଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ୯୫ ବର୍ଷରେ ପ୍ରାଣତ୍ୟାଗ କଲେ ମୁରଲୀଧର । ଓଡ଼ିଶାର ୪୩ ତମ ରାଜ୍ୟପାଳ ଭାବରେ କାର୍ଯ୍ୟନିର୍ବାହ କରିଥିଲେ ମୁରଲୀଧର । ଶ୍ରୀ ଭଣ୍ଡାରେ ୨୦୦୭ରୁ ୨୦୧୩ ଯାଏ ଓଡ଼ିଶାର ରାଜ୍ୟପାଳ ଥିଲେ। ମହାରାଷ୍ଟ୍ର କଂଗ୍ରେସର ଏହି ବରିଷ୍ଠ ରାଜନେତା ୩ଥର ସାଂସଦ ହୋଇଥିଲେ। ସେ ସୁପ୍ରିମ୍ କୋର୍ଟର ଆଇନ୍ଜୀବୀ ମଧ୍ୟ ରହିଥିଲେ।
ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ ‘ଦି ୱାର୍ଲଡ ଅଫ ଜେଣ୍ଡର ଜଷ୍ଟିସ’ ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି । ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି ।
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ଶ୍ରୀ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସ୍ୱେଟ୍ୱିଟ କରି ଲେଖିଛନ୍ତି, ‘ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି |’
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି, ଏବଂ ଟ୍ୱିଟ କରି ଲେଖିଛନ୍ତି, ‘ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଜ୍ୟପାଳ ଥିବା ବେଳେ ସ୍ବର୍ଗତ ଭଣ୍ଡାରେଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ସ୍ବର୍ଗତ ଭଣ୍ଡାରେଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।’