Pratidin TV

Odisha's Digital News Platform

G20 ରେ ଚମକିଲା କେନ୍ଦ୍ରାପଡା କାଇଁଚ ; ବିଶ୍ୱ ଦେଖିଲା ଓଡିଶାର କାଇଁଚ କାରୁକାର୍ଯ୍ୟ ….

1 min read

କେନ୍ଦ୍ରାପଡା ; ଶେଷ ହୋଇଛି ବିଶ୍ୱ ସମ୍ମିଳନୀ ଜି-୨୦।ବିଶ୍ୱର ନେତାଙ୍କୁ ନେଇ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀ ଭାରତକୁ ବିଶ୍ୱଗୁରୁ କୁହାଇଥିବା ବେଳେ ଭାରତର କାରୁକାର୍ଯ୍ୟ ଆଉ ହାତ ତିଆରି ଜିନିଷକୁ ପ୍ରଶଂସା କରିଛନ୍ତି ବିଶ୍ୱ ସମୁଦାୟର ନେତା।ନିପଟ ମଫସଲର ଦମ୍ପତ୍ତି ଦିନେ ଜିଲ୍ଲା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ଆଜି ସେମାନଙ୍କ ହାତ ତିଆରି ଜିନିଷ ଏହି ସମ୍ମିଳନୀର ଷ୍ଟଲରେ ବିକ୍ରି କରି ବେଶ ପ୍ରଶଂସା ସାଉଣ୍ଟିଥିବା ବେଳେ ଭାରତରେ କେନ୍ଦ୍ରାପଡା ନାଁ କୁ ଆହୁରି ଆଗକୁ ନେଇଛନ୍ତି।

ଧାନ ବିଲ ହିଡରେ ଅନାବନା ଭାବେ ବଢୁଥିବା କାଇଞ୍ଚ ଯେ ଏତେ ପରିଚୟ ଦେବ ସେକଥା କେବେ କଳ୍ପନା କରିନଥିଲେ କେନ୍ଦ୍ରାପଡ଼ାର ଦମ୍ପତ୍ତି।କେବଳ ଏହି ଦମ୍ପତ୍ତି କାହିଁକି କାଇଞ୍ଚକୁ ବୃତ୍ତି କରି ନିଜ ପରିଚୟ ସୃଷ୍ଟି କରିଥିବା ଜିଲ୍ଲାର ଶହଶହ ମହିଳାଙ୍କ ଏହେଉଛି ମନର କଥା।କେନ୍ଦ୍ରାପଡ଼ା ବ୍ଳକ କପାଳେଶ୍ୱର ପଞ୍ଚାୟତ ଜଜାଙ୍ଗ ଗାଁର ସନ୍ଧ୍ୟାରାଣୀ ନାୟକ,ଦିନ ଥିଲା ବିଲରୁ କାଇଞ୍ଚ ସଂଗ୍ରହ କରି କାମ କରିବା ସମୟରେ ଅନେକ କଥା ଶୁଣିବାକୁ ପଡିଥିଲା।ପରିବାର ଲୋକେ ଏମିତିକି ତାଙ୍କ ସ୍ୱାମୀ ନିରଞ୍ଜନ ନାୟକ ମଧ୍ୟ ଘର କାମରେ ମନୋନିବେଶ କରିବା ପାଇଁ ଚେତାବନୀ ଦେଇଥିଲେ। ଏହି କାଇଞ୍ଚ ଦ୍ୱାରା କେହି ପେଟ ପୋଷି ପାରିବେ ନାହିଁ ବୋଲି କହି ଘରର ମହିଳାଙ୍କ କାମ କେବଳ ଘରଦ୍ୱାର କାମ କରିବା ସହ ରୋଷେଇ କରିବାକୁ ଉପଯୁକ୍ତ କହି ତାଙ୍କର ଏହି କାଇଞ୍ଚର କାରିଗରୀ କାମକୁ ନ୍ୟୁନ କରୁଥିଲେ।

Advertisement

ତେବେ ଦିନକୁ ଦିନ ସନ୍ଧ୍ୟାଙ୍କ ହାତ କାଇଞ୍ଚରେ ବିଭିନ୍ନ ପ୍ରକାର ଡିଜାଇନର ସାମଗ୍ରୀ ତିଆରି କରିବା ପରେ ସେଗୁଡିକ କିଣିବା ପାଇଁ ପାଖ ପଡ଼ୋଶୀଙ୍କ ଆଗ୍ରହ ବଢ଼ିବା ସହ ପଡୋଶୀ ମହିଳା ମାନେ ମଧ୍ୟ ସନ୍ଧ୍ୟାଙ୍କ ଠାରୁ ଏହି କାଇଞ୍ଚ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରିବା ଶିଖିଥିଲେ। ତେବେ ବର୍ଷ ୨୦୧୪ ରେ ଓରମାସ ସନ୍ଧ୍ୟାଙ୍କୁ MCM (Master Craftsman) ତାଲିମ ଦେବା ପରେ ସନ୍ଧ୍ୟା ଆଉ ପଛକୁ ଫେରି ଚାହିଁନଥିଲେ।ଅନ୍ୟ ମହିଳାଙ୍କୁ ତାଲିମ ଦେଇ ସନ୍ଧ୍ୟା ତାଲିମଦାତା ପାଲଟି ଯାଇଥିବା ବେଳେ ଯେଉଁ ସ୍ୱାମୀ ନିରଞ୍ଜନ ତାଙ୍କ କାମକୁ ନେଇ ଦିନେ ବହୁ କଥା କହୁଥିଲେ ସେହି ସ୍ୱାମୀ କାଇଞ୍ଚକୁ ଜୀବିକା ଅର୍ଜ୍ଜନର ପନ୍ଥା ଭାବେ ବାଛି ବର୍ଷ ୨୦୧୮ରେ ନିଜେ ଜଣେ ଗଉଗ ହୋଇଥିଲେ।

ଫୁଲ ଦାନୀ, ଫଳ ଷ୍ଟାଣ୍ଡ ସାଙ୍ଗକୁ ଘରକରଣା ସାମଗ୍ରୀ କରି ଉଭୟ ପତିପତ୍ନୀ ବର୍ଷକୁ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି।ପ୍ରତି ବର୍ଷ ଭାରତର ରାଜଧାନୀ ଦିଲ୍ଲୀରେ ହେଉଥିବା ପ୍ରଦର୍ଶନୀକୁ ଅନ୍ୟୁନ ତିନିଥର ଯାତ୍ରା କରୁଥିବା ଏହି ଦମ୍ପତ୍ତିଙ୍କ ପାଇଁ ଚଳିତଥରର ଯାତ୍ରା ବେଶ ମହତ୍ତ୍ୱପୂର୍ଣ୍ଣ ଥିଲା।ଓରମାସ ଓ ସଂକଳ୍ପ ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀରେ ଗତ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିବା ଷ୍ଟଲ ମାନଙ୍କରେ କାଇଞ୍ଚ ସାମଗ୍ରୀକୁ ପ୍ରଦର୍ଶିତ କରି ବେଶ ଲୋକପ୍ରିୟ ହୋଇଛନ୍ତି ଏହି ଦମ୍ପତ୍ତି।୪ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ଏହି ଦମ୍ପତ୍ତି ଏଯାବତ ଭାରତ ବର୍ଷର ସମସ୍ତ ରାଜ୍ୟରେ ଅନୁଷ୍ଠିତ ବିଭିନ୍ନ ଷ୍ଟଲ ମାନଙ୍କରେ କେନ୍ଦ୍ରାପଡ଼ା ଜିଲ୍ଲାର କାଇଞ୍ଚ କାରିଗରୀକୁ ପହଞ୍ଚାଇଛନ୍ତି।ଦୃଢ଼ ଅଧ୍ୟବସାୟ ଯୋଗୁଁ ଏସବୁ ସମ୍ଭବ ହୋଇଥିବା କହିଛନ୍ତି ସଂକଳ୍ପ କାର୍ଯ୍ୟକ୍ରମର ଅଧିକାରୀ। ଗତ ଦୁଇମାସ ତଳେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କାଇଞ୍ଚ କାମର ତାଲିମଦାତା ସାଜିଥିବା ଏକ ଶହରୁ ଉର୍ଦ୍ଧ୍ବ ମହିଳାଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ କାଇଞ୍ଚ ଯେ ବିଶ୍ୱ ଦରବାରରେ କେନ୍ଦ୍ରାପଡା ଜିଲ୍ଲାର ପରିଚୟ ସୃଷ୍ଟି କରିଛି ସେଥିରେ ଦ୍ବିମତ ନାହିଁ।

Leave a Reply

Your email address will not be published. Required fields are marked *