ଗାଁକୁ ନାହିଁ ପୋଲ,୩ ଖଣ୍ଡ କାଠଗଣ୍ଡି ହିଁ ଲୋକଙ୍କର ଏକ ମାତ୍ର ସାହା ଭରସା…
1 min read
ଗଜପତି: ସ୍ୱାଧିନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଗଜପତି ଜିଲ୍ଲାର ଅନେକ ଗ୍ରାମରେ ପହଞ୍ଚି ପାରିନି ମୌଳିକ ସୁବିଧା । ଗାଁକୁ ଯିବା ପାଇଁ ନାହିଁ ଖଣ୍ଡେ ପୋଲ । ନଦୀ ଉପରେ ତୁଇ ତିନୋଟି କାଠଗଣ୍ଡି ପକାଇ ରାସ୍ତା ପାରି ହେଉଛନ୍ତି ଲୋକେ । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏମିତି ବିପଦ ସଂଙ୍କୁଳ ଅବସ୍ଥାରେ ନଦୀ ପାର ହେଛନ୍ତି । ଏହା ଛଡା ଆଉ କିଛି ଉପାୟ ସେମାନଙ୍କ ପାଖରେ ନାହିଁ ।
ଏପରି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଳ ଗ୍ରାମପଞ୍ଚାୟତର ମୁଣ୍ଡବୁଲା ଗ୍ରାମରେ । ଜରୁରୀ କାଳୀନ ପରିସ୍ଥିତିରେ ଗ୍ରାମବାସୀ ମାନେ ଘରୁ ବାହାରି ପାରୁ ନାହାନ୍ତି । ଦୈନଦିନ କାର୍ଯ୍ୟରେ ବାହାର ଯିବାକୁ ହେଲେ ଏହି ତିନି କାଠଗଣ୍ଡୀ ହିଁ ଭରସା । ଏପରିକି ପିଲାମାନେ ସ୍କୁଲ କଲେଜ, ବଜାର, ରାସନ୍ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏହି କାଠଗଣ୍ଡୀରେ ନଦୀ ପାର ହୋଇ ଯିବାକୁ ପଡୁଛି । ବର୍ଷାରେ ନଇବଡି ଆସିଲେ ସବୁ ଯେପରୀ ଠପ୍ । ଲୋକଙ୍କ ଆବାସ ଯୋଜନା ମଧ୍ୟ ଆସିଛି ହେଲେ ପାଖରେ ପହଞ୍ଚି ପାରୁନି । କାରଣ ରାସ୍ତା ନଥିବାରୁ ସାମଗ୍ରୀ , ନଦୀ ଆର ପଠାରେ ରହି ଯାଉଛି । ସେଠାରୁ ଗାଡ଼ି ,ସମସ୍ତ ଜିନିଷ ଯଥା ସିମେଣ୍ଟ ଲୁହାରଡ଼, ଇଟା ,ବାଲି ଗୁଡ଼ି ସବୁ କୁଲି ସାହାଯ୍ୟରେ ବୋହି ଆରପାରିକୁ ନେବାକୁପଡ଼େ । ତେବେ ବାରମ୍ବାର ଲୋକେ ଏ ବିଷୟରେ ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି । ଖାଲି ନିର୍ବାଚନ ବେଳେ ଆସି ମାଳ ମାଳ ପ୍ରତିଶ୍ରୁତି ଦେଇଯାଉଛନ୍ତି । କିନ୍ତୁ ଭୋଟ ସରିଗଲା ପରେ କାମ ଶୁନ୍ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ଓ କେମିତି ପଦକ୍ଷେପ ନିଆଯାଉଛି । ଏବଂ ଗାଁ ଲୋକେ ଉପକୃତ ହେଉଛନ୍ତି?