ଗଞ୍ଜାମ ଦୁର୍ଘଟଣା ; ସହାୟତା ରାଶି ଘୋଷଣା କଲେ ମୋହନ ସରକାର , ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତରଙ୍କୁ ୧ ଲକ୍ଷ ।
1 min readଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୃକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଓ ଗୁରୁତରଙ୍କୁ ୧ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଖବର ଅନୁଯାୟୀ ଖମ୍ବେଶ୍ୱରୀ’ ନାମକ ଯାତ୍ରୀବାହୀ ବସ୍ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ଉକ୍ତ ସମୟରେ ତେଲ ଟାଙ୍କରଟି ବ୍ରହ୍ମପୁରରୁ ଆସ୍କା ପଟକୁ ଆସୁଥିଲା। କଞ୍ଜୁରୁ ଛକଠାରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁଇଟି ଗାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଚା’ ପିଉଥିବା ୩ ଜଣଙ୍କ ସମେତ ଜଣେ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ବସ୍ରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ତୁରନ୍ତ ଏମକେସିଜି ମେଡିକାଲକୁ ଫଠାଇଥିଲା ।