Pratidin TV

Odisha's Digital News Platform

ନଳକୂପରୁ ବାହାରୁଛି ସୁନା କନିକା !

1 min read

ବଲାଙ୍ଗୀର : ନଳକୂପରୁ ବାହାରୁଛି ସୁନା । କଣ ଆପଣମାନଙ୍କୁ ବିଶ୍ୱାସ ହେଉନାହିଁ । ଆଜ୍ଞା ହଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଏବେ ସବୁଠି ଚର୍ଚ୍ଚା। ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁ ର ଜାବେଦ ମହମ୍ବଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର ଖଞ୍ଜି ପାଣି ବାହାର କରିଥିଲେ। ଏଥିରେ ସୁନାଭଳି ଚକ୍ ଚକ୍ କରୁଥିବା ପଦାର୍ଥ ବାହାରୁଥିବା ଚାଷୀ ଜଣକ ଦେଖିଥିଲେ।

ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ କରି ଅନ୍ୟ ମାନଙ୍କୁ କହିଥିଲେ। ଏନେଇ ସ୍ଥାନୀୟ ପ୍ରଶାସନ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ଶୁକ୍ରବାର ପହଞ୍ଚି ଚାଷୀ ଭେଟି ପଚାରିବା ସହ ସୁନା ଭଳି ପଦାର୍ଥ ମିଶା ଚକ ଚକ୍ କରୁଥିବା ବାଲି ସଂଗ୍ରହ କରିଥିଲେ। ଏହି ଖବର ପ୍ରଚାରିତ ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Advertisement

ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପଚାରିବାରୁ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍ ଚକ୍ କରୁଥିବା ମାଟି ସଂଗ୍ରହ କରିଛୁ। ଜିଲ୍ଲା ଖଣି ବିଭାଗ ସହ ଆଲୋଚନା ହୋଇଛି, ସଂଗୃହିତ ବାଲି ପରୀକ୍ଷା ପରେ ପ୍ରକୃତ ରେ ସୁନା କି ନୁହ ଜଣା ପଡ଼ିବ ବୋଲି କହିଛନ୍ତି ତହସିଲଦାର ।

Leave a Reply

Your email address will not be published. Required fields are marked *