Pratidin TV

Odisha's Digital News Platform

ଜାଣନ୍ତୁ କାହିଁକି ବଢିଲା ସୁନା ଦର ? କଣ ରହିଛି ଏହାର କାରଣ ?

ସୁନା ଦରରେ ଲାଗୁନି ବ୍ରେକ । ରକେଟ୍ ଭଳି ହୁହୁ ହୋଇ ବଢି ଚାଲିଛି । ବାହାଘର ଋତୁ ଚାଲିଥିବା ବେଳେ ସୁନା କିଣିବା ମଧ୍ୟବିତ୍ତ ପରିବାରଙ୍କ ପାଇଁ ସ୍ୱପ୍ନ ପାଲଟିଲାଣି । କାରଣ ସତୁରି ହଜାର ଟପି ସାରିଛି ସୁନାଦର । ବାହାଘର ପୁଣି ବିନା ସୁନାରେ କରିବା ଅସମ୍ଭବ । ହେଲେ ସୁନାର ବର୍ଦ୍ଧିତ ଦର ଦେଖି ସୁନା କିଣିବାକୁ ଡରୁଛନ୍ତି ଲୋକେ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାଦର ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି ।

ସେହିପରି ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା । ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି । ସେହିପରି ଗତକାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୬,୧୮୫ ଟଙ୍କାରୁ ବୃଦ୍ଧି ପାଇ ୬୫୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୧୦ ଦିନ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ଦର ୧ ଗ୍ରାମ ପ୍ରତି ୬,୭୪୬ ଟଙ୍କାରୁ ବୃଦ୍ଧି ପାଇ ୭,୧୪୪ ଟଙ୍କାରେ ପହଞ୍ଚିଛି । ତେବେ ସୁନାର ଦର ବୃଦ୍ଧି ପାଇଁ ଅନେକ କାରଣ ଅଛି ।

ବାସ୍ତବରେ, ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ପରିବେଶରେ ନିବେଶକମାନେ ଏହାକୁ ଏକ ନିରାପଦ ନିବେଶ ଭାବରେ ବିବେଚନା କରି ଅଧିକ ସୁନା ଓ ରୂପା କିଣିବା ଆରମ୍ଭ କରନ୍ତି । ବର୍ତ୍ତମାନ ଭୌଗୋଳିକ ତିକ୍ତତା ବୃଦ୍ଧି ପାଇଛି । ପଶ୍ଚିମ ଏସିଆରେ ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଯୁଦ୍ଧର କୌଣସି ସମାଧାନ ମିଳୁନାହିଁ । ଏଥି ସହିତ, ପୂର୍ବ ୟୁରୋପରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧ ମଧ୍ୟ ସମାପ୍ତ ହେବାର କୌଣସି ଚିହ୍ନ ଦେଖାଏ ନାହିଁ । ଏହା ସହିତ ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି । ତେବେ ଏପରି ପରିସ୍ଥିତି କେତେ ଦିନ ରହିବ ତାହା ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *